ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୧୦୨୭୦ ଟନରୁ ଅଧିକ ଅକ୍ସିଜେନ

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୫୫୯ଟି ଟ୍ୟାଙ୍କର ଯୋଗେ ୧୦୨୭୦.୨୯୮ ଟନରୁ ଅଧିକ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୫୭ଟି ଟ୍ୟାଙ୍କର ଯୋଗେ ୯୪୫.୩୦୨ଟନ୍, ଢେଙ୍କାନାଳ ଜିଲ୍ଲାରୁ ୧୪୭ଟି ଟ୍ୟାଙ୍କର ଯୋଗେ ୨୩୨୪.୩୨ଟନ୍, ଯାଜପୁର ଜିଲ୍ଲାରୁ୧୩୪ଟି ଟ୍ୟାଙ୍କର ଯୋଗେ ୨୭୯୦.୧୧୨ଟନ୍ ଏବଂ ରାଉରକେଲାରୁ ୨୨୧ଟି ଟ୍ୟାଙ୍କର ଯୋଗେ ୪୨୧୦.୫୬୪ ଟନ୍ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି।

୧୬୯ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୩୩୮୫.୭୫୪ଟନ୍, ୧୪୭ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ୨୪୯୪.୮୨୯ ଟନ୍, ତାଲିମନାଡୁକୁ ୧୨ଟି ଟ୍ୟାଙ୍କର ଯୋଗେ ୨୩୪.୯୪ଟନ୍, ହରିୟାଣାକୁ ୭୯ଟି ଟ୍ୟାଙ୍କରରେ ୧୪୬୦.୩୪୨ଟନ୍, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କରରେ ୪୬୫.୮୩୧ଟନ୍, ଛତିଶଗଡ଼କୁ ୨୧ଟି ଟ୍ୟାଙ୍କରରେ ୩୨୦.୩୨୨ଟନ୍, ଉତରପ୍ରଦେଶକୁ ୩୮ଟି ଟ୍ୟାଙ୍କର ଯୋଗେ ୭୧୯.୯୫ ଟନ, ୪୭ଟି ଟ୍ୟାଙ୍କର ଯୋଗେ ୮୨୩.୯୬ଟନ୍୍ ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କର ଯୋଗେ ଦିଲ୍ଲୀକୁ ୨୭୪.୮୬ଟନ୍, ୦୨ଟି ଟ୍ୟାଙ୍କର ଯୋଗେ ପଞ୍ଜାବକୁ ୫୮.୨୨ ଏବଂ ୦୨ଟି ଟ୍ୟାଙ୍କର ଯୋଗେ ବିହାରକୁ ୩୧.୨୯ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜି ଏବଂ ପୋଲିସ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୋଲିସ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.