ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜେଲ ଗଲେ ସହକାରୀ ଯନ୍ତ୍ରୀ ସୁନୀଲ ପାଢ଼ୀ

ଡେସ୍କ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ଜେଲ ପଠାଯାଇଛି। ଗତକାଲି ଭିଜିଲାନ୍ସ ସୁନୀଲଙ୍କ ୫ଟି ସ୍ଥାନରେ ଥିବା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ଖବର ପାଇ ସୁନୀଲ ଛାତ ଡେଇଁ ପଡୋଶୀ ଘରକୁ ପଳାଇଥିବା ଭିଜିଲାନ୍ସ କହୁଥିବା ବେଳେ ସେ ସେଭଳି କରି ନ ଥିବା ସୁନୀଲ କହିଛନ୍ତି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁନୀଲ ପାଢ଼ୀ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଚଢ଼ାଉ ସମୟରେ ତାଙ୍କ ଆୟ ଠାରୁ ୧୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି। ଏହା ଛଡା ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ ମହଲା କୋଠା, ୫ଟି ପ୍ଲଟ, ୨୪ଟି ବ୍ୟାଙ୍କ ଖାତାରେ ୫୭ ଲକ୍ଷ ଟଙ୍କାର ଜମା, ସେୟାର ମାର୍କେଟରେ ଟଙ୍କା, ବ୍ୟାଙ୍କ ଲକରରେ ସୁନା ଓ ୪ ଲକ୍ଷ ୫ ହଜାର ନଗଦ ଅର୍ଥ ଭିଜିଲାନ୍ସ ଜବତ କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଗତକାଲି ଏକକାଳୀନ ଭୁବନେଶ୍ୱର ଓ ଗଂଜାମରେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ସାମିଲ ଥିଲେ।

Comments are closed.