ଫାଇନାଲରେ ପ୍ରଥମ ଥର ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଦଳ

ଶାହା ଆଲମ: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଦଳ ଇତିହାସ ରଚିଛନ୍ତି। ମାଲେସିଆର ଶାହା ଆଲମରେ ଚାଲିଥିବା ଏସୀୟ ଦଳଗତ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଶନିବାର ଖେଳାଯାଇଥିବା ମହିଳା ବିଭାଗ ସେମିଫାଇନାଲରେ ଭାରତ ୩-୨ ମ୍ୟାଚ୍‌ରେ ଜାପାନକୁ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଦୁଇଟି ଅଲିମ୍ପିକ୍‌ସ ପଦକ ବିଜେତା ପି.ଭି ସିନ୍ଧୁ ପ୍ରଥମ ଏକକ ମ୍ୟାଚରେ ୦-୨ ଗେମ୍‌ ୧୩-୨୧ ଓ ୨୦-୨୨ରେ ଆୟା ଓହରିଙ୍କ ନିକଟରୁ ପରାଜିତ ହୋଇଥିଲେ। ସିନ୍ଧୁଏହି ମ୍ୟାଚକୁ ୪୮ ମିନିଟ୍‌ରେ ପରାଜିତ ହୋଇଥିଲେ। ବିଶ୍ବର ୧୧ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରଥମ ଥର ପାଇଁ ଓହରିଙ୍କ ନିକଟରୁ ପରାଜିତ ହୋଇଛନ୍ତି। ଆହତ ସମସ୍ୟାରୁ ମୁକିଳି ସାଢେ ୩ ମାସ ପରେ ପ୍ରଥମ ଥର ପାଇଁ ଏସୀୟ ଦଳଗତ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ ଖେଳିଥିଲେ। ସିନ୍ଧୁ ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ଦ୍ବିତୀୟ ମ୍ୟାଚ୍‌କୁ ତ୍ରିଶା ଜୋଲି- ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି ଜିତିଥିଲେ। ଯୁଗଳ ବିଭାଗରେ ତ୍ରିଶା ଓ ଗାୟତ୍ରୀ ଚମତ୍କାର ପ୍ରଦର୍ଶନ କରି ୨୧-୧୭, ୧୬-୨୧ ଓ ୨୨-୨୦ରେ ନାମି ମ୍ୟାଟ୍‌ସୁୟାମା-ଚିହାରୁ ସିଦାଙ୍କୁ ପରାସ୍ତ କରିଥିଲେ। ତ୍ରିଶା ଓ ଗାୟତ୍ରୀ ପ୍ରଥମ ଗେମ୍‌କୁ ଜିତିଥିବାବେଳେ ଦ୍ବିତୀୟ ଗେମରେ ପରାଜିତ ହୋଇଥିଲେ। ତୃତୀୟ ଗେମ୍‌କୁ ତ୍ରିଶା ଓ ଗାୟତ୍ରୀ ଜିତି ମ୍ୟାଚ ବିଜୟୀ ହୋଇଥିଲେ। ୩ୟ ମ୍ୟାଚରେ ଅସ୍ମିତା ଚଲିହା ୨-୦ରେ ୨୧-୧୭ ଓ ୨୧-୧୪ରେ ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଅସ୍ମିତା ମ୍ୟାଚକୁ ସହଜରେ ଜିତିବାରେ ସଫଳ ହୋଇଥିଲେ। ୪ର୍ଥ ମ୍ୟାଚରେ ଅଶ୍ବିନି ପୋନପ୍ପା- ପି.ଭି ସିନ୍ଧୁ ୧୪-୨୧ ଓ ୧୧-୨୧ରେ ରିନା ମିୟାଉରା-ଆୟୋକା ସାକୁରାମୋଟୋ ଯୋଡ଼ିଙ୍କଠାରୁ ପରାଜିତ ହୋଇଥିଲେ। ମ୍ୟାଚ ୨-୨ ବରାବର ସ୍ଥିତିରେ ରହିଥିଲା। ନିର୍ଣ୍ଣାୟକ ମ୍ୟାଚରେ ଅନମୋଲ ଖାବ୍ରା ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଥିଲେ। ୧୭ ବର୍ଷୀୟା ଅନ୍‌ମୋଲ ପ୍ରଥମ ଗେମ୍‌କୁ ୧୪-୨୧ ଓ ଦ୍ବିତୀୟ ଗେମ୍‌କୁ ୧୮-୨୧ରେ ଜିତି ନେଇଥିଲେ। ଶୁକ୍ରବାର କ୍ବାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ ୩-୦ରେ ହଂକଂକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବା ସହ ପଦକ ନିଶ୍ଚିତ କରିଥିଲା। ଭାରତ ରବିବାର ଫାଇନାଲରେ ଥାଇଲାଣ୍ଡକୁ ଭେଟିବ।

Comments are closed.