ଗୋପାଳପୁର: ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର(ଗୋପାଳପୁର ଏବଂ ଚେନ୍ନାଇ) ଦ୍ୱାରା ଦୁଇଟି ଗଭୀର ଜଳ ମାଛ କଲୋକାଙ୍ଗର ସ୍କୋଲୋସି ଏବଂ ଓପିକଥସ ଇରାବୋ ପ୍ରଥମ ଥର ପାଇଁ ଭାରତୀୟ ଜଳ ରାଶିରୁ ଚିହ୍ନଟ କରାଯାଇଛି। କେରଳର କୋଲ୍ଲମ୍ ସମୁଦ୍ରତଟ ଅଞ୍ଚଳର ଗଭୀର ଜଳରୁ ସୁନୀଲ ରାଜଙ୍କ ଦ୍ୱାରା ବ୍ୟାପାରିକ ବଟମ୍ ଟ୍ରଲିଂ କାର୍ଯ୍ୟକ୍ରମ ସମୟରେ ଏହି ନମୁନାଗୁଡିକୁ ସଂଗ୍ରହ କରାଯାଇଥିଲା। ନମୁନା ସଂଗ୍ରହ ପରେ ଏହାକୁ ନେଇ ବୈଜ୍ଞାନିକ ଡ. ଅନିଲ ମିହାପାତ୍ର, ଡ. କେ. କେ. ବିନିଶ ଏବଂ ଗବେଷକ ଡ. ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା, ଶ୍ଵେତା ବେଉରା, ମୌମିତା ଦାସ, ପ୍ରବୀନ ରୋଜାରିଓ ଏବଂ ସ୍ମୃତିରେଖା ଆଚାର୍ଯ୍ୟ ମିଳିତ ଭାବେ ଗବେଷଣା କରିବା ଆରମ୍ଭ କରିଥିଲେ। ମାଛକୁ ନେଇ ଗବେଷଣା ପରେ ବୈଜ୍ଞାନିକ ଡ. ଅନିଲ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଏହି ପ୍ରଜାତିର ମାଛ କଲୋକଙ୍ଗର ବଂଶର, ଯାହାକି ଆଗରୁ କେବେ ଭାରତୀୟ ଜଳରାଶିରୁ ମିଳି ନଥିଲା। ଏହି ବଂଶରୁ କେଵଳ କଲୋକାଙ୍ଗର ରାନୀସେପ୍ସ ମିଳିଥିଲା। ଗବେଷଣା ପରେ ମିଳିଥିବା ନୂତନ ରିପୋର୍ଟ ଅନୁଯାୟୀ, ଭାରତର କୋଚିଆ ମାଛମାନଙ୍କ ବିବିଧତା ବୃଦ୍ଧିରେ ଏକ ଅନ୍ୟତମ ଅବଦାନ ଦେଉଥିବା ଜଣାପଡିଥିଲା। ଜୀବନ୍ତ ଅବସ୍ଥାରେ ଏହି ମାଛଟିର ଦେହ ଗଢ଼ା ମଞ୍ଜୁଳ କଳା ରଙ୍ଗର ରହିଥିବାବେଳେ ସଂରକ୍ଷିତ ଅବସ୍ଥାରେ ମଧ୍ୟ ଏହାର ରଙ୍ଗ ସମାନ ରହିବା ସହ ଏହାର ଫିନଗୁଡ଼ିକୁ ମଧ୍ୟ କଳା ରଙ୍ଗରେ ଦେଖାଯାଏ। ଜିଭ, ପାଲେଟିନ୍, ଗାସ୍ତ୍ରିକ ଅଞ୍ଚଳ ଓ ଜଥର ସମେତ ଅନ୍ତଃପାଟିଗୁଡ଼ିକ ମଧ୍ୟ କଳା ରଙ୍ଗର ହୋଇଥାଏ। ମୁଣ୍ଡ ଅଞ୍ଚଳର ଅନୁଭୂତି ସନ୍ଧାନ ରୂପୀ ରେସମ ତୁଲ୍ୟ ରୂପାନ୍ତର ଓ ଲାଟେରାଲ୍ ଲାଇନ୍ ମଧ୍ୟ କଳା ରଙ୍ଗ ହୋଇଥାଏ। ଏହି ପ୍ରଜାତିକୁ ସାଧାରଣ ଭାବେ “Blotched Snake-Eel” ବୋଲି ମଧ୍ୟ କୁହାଯାଏ । ଏହା ଆବିଷ୍କାର ହେବା ପୂର୍ବରୁ ଏହି ପ୍ରଜାତିର ମାଛ ଭାରତୀୟ ତଟରେ କେବେ ମଧ୍ୟ ଦେଖା ଦେଇନଥିବା ଗବେଷଣାବେଳେ ଜଣାପଡିଛି । ଏହି ପ୍ରଜାତିଟି ଓପିକଥସ ପୋଲ୍ୱୟୋପଥାଲାମୂସ ନାମକ ଅନ୍ୟ ଏକ ସମାନ ବଂଶୀୟ ପ୍ରଜାତି ସହିତ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଶରୀରରେ ଥିବା ଗାଢ଼ ଧୁସର କଳା ଅର୍ଦ୍ଧଚନ୍ଦ୍ରାକାର ଦାଗ ଦ୍ୱାରା ଏହା ସମ୍ପୂର୍ଣ୍ଣ ଅଲଗା ଭାବେ ଚିହ୍ନଟ କରାଯାଇଛି । ଏହି ଦାଗଗୁଡ଼ିକ ମୁଣ୍ଡ ଅଞ୍ଚଳରେ ଛୋଟ ଛୋଟ ଓ ଅଧିକ ସଂଖ୍ୟାରେ ରହିଥିବା ସହ ଶରୀର ଓ ପୁଛ ଅଞ୍ଚଳରେ ବଡ଼ ରୂପରେ ଦେଖାଯାଇଥାଏ। ଶରୀରର ରଙ୍ଗ ପାଳ ହଳଦା-ଗାଢ଼ କାଠିଆ ଧୂସର ହୋଇଥିବା ସହ ତଳ ଅଞ୍ଚଳ ସାଧାରଣତଃ ସ୍ଫଟିକ ସଫେଦ ରଙ୍ଗ ର ରହିଛି । ଡୋର୍ସାଲ୍ ଫିନରେ ମଧ୍ୟ ଶରୀର ଦାଗ ଅନୁସାରେ ଅବଲମ୍ବିତ ଛାପ ଥାଏ, ଏବଂ ଅନାଲ୍ ଫିନ ପୂର୍ଣ୍ଣ ଭାବେ ସଫେଦ ଥାଏ। ପେକ୍ଟୋରାଲ୍ ଫିନ ଉପରେ ଛୋଟ ଛୋଟ ଦାଗ ଥାଏ। ଏହି ପ୍ରଜାତି ପୂର୍ବରୁ ଦକ୍ଷିଣ ଆଫ୍ରିକା, ଜାପାନ, ଓଗାସାୱାରା ଦ୍ୱୀପ, ରାୟୁକ୍ୟୁ ତାଇୱାନରୁ ମିଳିଥିବା ନେଇ ବୈଜ୍ଞାନିକ ମହାପାତ୍ର ସୂଚନା ଦେଇଛନ୍ତି।
ଏହି ଦୁଇଟି ମାଛର ସବିଶେଷ ବିବରଣୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା ଜର୍ନାଲ ଅଫ୍ ମାରାଇନ୍ ବାଇଓଲଜିକାଲ ଆସୋସିଏସନ ଏବଂ ନେସନାଲ ଆକାଡେମୀ ଅଫ୍ ସାଇନ୍ସ ଲେଟର୍ସରେ ପ୍ରକାଶିତ ହୋଇଛି। ଏହି ଅଭିଜ୍ଞାନ ଭାରତର ସମୁଦ୍ରୀୟ ଜୀବ ବୈବିଧ୍ୟ ଓ କୋଚିଆ ମାଛମାନଙ୍କ ପ୍ରକୃତ ବିତରଣ କ୍ଷେତ୍ର ବୁଝିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ ରୂପେ ପ୍ରମାଣିତ ହେଉଛି।



