ଦୋବଲ : ଧାମନଗର ବ୍ଲକର ଉପର ପଞ୍ଚାୟତଗୁଡ଼ିକରେ ବନ୍ଯାଜଳ ହ୍ରାସ ପାଇଥିବାବେଳେ ତଳିଆ ଅଞ୍ଚଳରେ ବନ୍ଯା ଜଳ ମାଡ଼ି ଚାଲିଛି। ବୈତରଣୀରେ ଜଳ ପତ୍ତନ ହ୍ରାସ ପାଇବା ପରେ ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, ପଧାନି, କରଦା ଓ ଅର୍ଜ୍ଜୁନପୁରରେ ପାଣି କମିଛି। ହେଲେ ଧୁଷୁରୀ, ବମକୁରା, କାଶୀମପୁର, ହସନାବାଦ, ପାଳସାହି ଅଞ୍ଚଳରେ ପାଣି ବଢୁଛି। ଉପର ମୁଣ୍ଡରେ ବର୍ଷା ନଥିବାରୁ ସୋମବାର ସକାଳ ସୁଦ୍ଧା ଏ ସବୁ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି ଧାମନଦର ଜଳ ସଂପଦ କାର୍ଯ୍ଯାଳୟର ଏସଡିଓ କହିଛନ୍ତି।

ଆନନ୍ଦପୁର ପଞ୍ଚାୟତର ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପର ଦକ୍ଷିଣ ପାର୍ଶ୍ବରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇଥିବାରୁ ବନ୍ଯା ନିୟନ୍ତ୍ରଣ ହୋଇପାରିଛି। ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଂକେତଠାରୁ ୨ ମିଟର ଉଚ୍ଚରେ ଥିବା ସତ୍ତ୍ବେ ୨ ଏସକେପ ବାଟେ ପାଣି ନିଷ୍କାସନ କମିଛି। ପୂର୍ବରୁ ଏହି ଦୁଇ ଏସକେପ ମୁକୁଳା ଥିଲା। ଯାହା ଫଳରେ ବୈତରଣୀର ଜଳସ୍ତର ବିପଦ ସଂକେତରେ ପହଞ୍ଚିବା କ୍ଷଣି ଏହି ବାଟେ ବନ୍ଯା ଜଳ ଗାଁ ଭିତରକୁ ପଶୁଥିଲା। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ପ୍ରଚେଷ୍ଟାରେ ଦୁଇ ଏସକେପରେ ସୁରକ୍ଷା ପ୍ରାଚୀର ଓ ବେସମେଣ୍ଟ ଉଚ୍ଚା କରାଯିବାରୁ ମଧ୍ଯମ ଧରଣ ବନ୍ଯାରେ ଅଳ୍ପ ପାଣି ନିଷ୍କାସନ ହେଉଛି।
ଅପର ପକ୍ଷରେ ବୈତରଣୀର ଶାଖା ଗେଙ୍ଗୁଟି ନଦୀବନ୍ଧରେ ଥିବା ପାହାଡ଼ପୁର ଏସକେପ, ମଠମାହାରା ଓ କନକେଇ ଏସକେପ ବାଟେ ପାଣି ପଶିବାରୁ ଖଡ଼ିପଦା, ସୋହଡ଼ା ଓ କରଦା ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ଖଡ଼ିପଦା ଓ କାଞ୍ଜିଆପାଳ ମଧ୍ଯରେ ଥିବା ଗ୍ରାମ୍ଯ ଉନ୍ନୟନ ରାସ୍ତା ବୁଡ଼ିଯିବାରୁ କାଞ୍ଜିଆପାଳର ୨୦୦ ଘର ଜଳବନ୍ଦୀ ହୋଇଛନ୍ତି। ସେପଟେ ଏଥର ବନ୍ଯାରେ ଧାମନଗର ବ୍ଲକର ଶହ ଶହ ହେକ୍ଟର ଚାଷ ଜମି ବୁଡ଼ିଯାଇଛି। ଅଧିକାଂଶ ଜମିରେ ରୁଆ ପୋତା ଆରମ୍ଭ ହୋଇଥିବାରୁ ପାଣିରେ ବୁଡ଼ି ଧାନ ଗଛ ପଚି ଜିବା ଆଶଙ୍କା ଦେଖାଦେଇଛି। ବନ୍ୟା ଛାଡ଼ିବା ପରେ ତୁରନ୍ତ କୃଷି ଓ ତହସିଲ ବିଭାଗ ପକ୍ଷରୁ ସର୍ଭେ କରାଯାଇ କ୍ଷତି ବିଷୟରେ ସରକାରଙ୍କୁ ରିପୋର୍ଟ୍ ପ୍ରଦାନ କରାଯିବ।

ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଆଜି ଦିନ ତମାମ ବନ୍ଯା ଅଞ୍ଚଳ ବୁଲି ଦେଖିଛନ୍ତି। ହସନାବାଦର ପଙ୍ଗଟା, ଅସ୍ତକ, ଗୋପବନ୍ଧୁନଗର, ପଧାନୀର ଦାସପାରୀ, ଶଇଲୋ, ଅର୍ଜ୍ଜୁନପୁର ପଞ୍ଚାୟତ, ବମକୁରା, ଧୁଷୁରୀ, ସୋହଡ଼ାର ଗୌରାଙ୍ଗପୁର, ବାଲିପଡ଼ା, ପିତେଇପୁର ଓ ଆନନ୍ଦପୁରର ମଲ୍ଲିମାହାରା ଅଞ୍ଚଳ ବୁଲିଥିଲେ। ସେପଟେ ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ଲୋକଙ୍କୁ ତୁରନ୍ତ ଶୁଖିଲା ଖାଦ୍ଯ ଓ ପିଇବା ପାଣି ଯୋଗାଇ ଦିଆଯାଇଛି। ସ୍କୁଲ ଘର ଓ ବାତ୍ଯା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ରନ୍ଧା ଖାଦ୍ଯ ଯୋଗାଇ ଦିଆଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ବନ୍ଯା ପ୍ରଭାବିତ ସୋହଡ଼ା ପଞ୍ଚାୟତରେ ଘର ଘର ବୁଲି ଶୁଖିଲା ଖାଦ୍ଯ ବାଣ୍ଟିଛନ୍ତି।
ମୁସ୍ତଫାପୁର ପଞ୍ଚାୟତର ଗୋହିରାଟିକିରି ମଠରେ ଥିବା ମହନ୍ତ ଓ ୩ ମାତାଙ୍କ ପାଇଁ ଖାଦ୍ଯ ପଦାର୍ଥ ପଠାଯାଇଛି। ବନ୍ଯା ଘେର ଭିତରେ ଥିବାରୁ ୩ ମାତାଙ୍କୁ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କଣ୍ଟାପାରୀ, ଦାସପାରୀ ଓ ହସନାବାଦରେ ପାୱାର ବୋଟ୍ ଏବଂ ମୋଟର ବୋଟକୁ ସଜାଗ ରଖାଯାଇଛି। ଅଗ୍ନିଶମ ବାହିନୀ ମଧ୍ଯ ସଜାଗ ହୋଇ ରହିଛନ୍ତି। ସେପଟେ ଆଜି ରବିବାର ଓ ଆସନ୍ତାକାଲି ଶ୍ରାବଣ ମାସର ସୋମବାର ଥିବାରୁ କାଉଡ଼ିଆମାନେ ପାଣି ଉଠାଉଛନ୍ତି। ଏଥିପାଇଁ ନଦୀବନ୍ଧ ଓ ଗାଧୁଆ ତୁଠ ପାଖରେ ପୋଲିସଙ୍କୁ ମୁତୟନ କରାଯାଇଛି।

ଗତବର୍ଷ ବନ୍ଧବାଡ଼ ମରାମତି ହୋଇଥିଲେ ବି ବୈତରଣୀର ବାମ ପାର୍ଶ୍ବ ବନ୍ଧରେ ଅନେକ ସ୍ଥାନରେ ଘଳିଆ ପଡ଼ିଥିବା ଦେଖିବାକୁ ମିଳିଛି। ମୁଥାନଗର, କଣ୍ଟାପାରୀ, ଦାସପାରୀ ଓ ପିତେଇପୁରରେ ଘଳିଆ ପଡ଼ିଥିଲା। ଜଳ ସଂପଦ ବିଭାଗର କର୍ମଚାରୀ ପହଞ୍ଚି ରାତିରେ ହିଁ ଘଳିଆ ମାରିଥିଲେ। ଅପର ପକ୍ଷରେ ମଲ୍ଲିମାହାରା ଏସକେପର ସ୍ପିଲ ୱେ କାମ ନିମ୍ନମାନର ହୋଇଥିବାରୁ ତଳ ବାଟେ ପାଣି ଲିକ୍ ହେଉଥିବା ଦେଖାଯାଇଛି। ପ୍ରତି ସ୍ପାନର ସ୍ପିଲ ୱେ ତଳେ ବଡ଼ ବଡ଼ ଘଳିଆ ଭଳି ପାଣି ବାହାରୁଥିବା ଦେଖାଯାଇଛି। ଆଉ ଗୋଟେ ବଡ଼ ବନ୍ଯା ହେଲେ ମଲ୍ଲିମାହାରା ଏସକେପର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି। କଣ୍ଟାପାରିରେ ଥିବା ଥିବା ବାବା ନାଗେଶ୍ୱର ମହାଦେବଙ୍କ ମନ୍ଦୀରରେ ବନ୍ୟା ପାଣି ପଶିଯାଇଛି।



