ମୋହନା: ସ୍ଥାନୀୟ ଗ୍ରାମପଞ୍ଚାୟତ ଅଧିନ ଖାରିଗୁଡା, କଣ୍ଟେଇକୋଳି, ବେତାରସିଙ୍ଗ, ମୋହନା, ରଙ୍ଗମାଟିଆ ଠାରେ ରହିଥିବା ବିଦ୍ୟାଳୟ ଗୁଡିକରୁ ପ୍ରତେକ ବର୍ଷ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀରୁ ଉର୍ତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ନବମ ଶ୍ରେଣୀରେ ପାଠ ପଢିବା ଶିକ୍ଷାର୍ଥୀ ଓ ଅବିଭାବକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଏ। ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି)ରେ କେବଳ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୦ ସିଟ ରହିଛି। ଏହା ସହିତ କସ୍ତୁରବା ଆବାସିକର ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଅଧ୍ୟୟନ କରନ୍ତି। ଏହା ବ୍ୟତୀତ ମୋହନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢା ପାଇଁ ଅବିଭାବକଙ୍କ ଆର୍ଥୀକ ଅଭାବ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ବାଳକ ମାନଙ୍କ ପାଇଁ ସ୍ଥାନ ନାହିଁ। ଏଣୁ ପ୍ରତ୍ୟେକ ବର୍ଷ ଶତାଧିକ ଛାତ୍ରଛାତ୍ରୀ ମୋହନାଠାରୁ ୪ରୁ ୮ କିମି ଦୂରରେ ଅବସ୍ଥିତ ପିଣ୍ଡିକି, ଲିଲିଗଡ, ଲୁହାଗୁଡି, କରଚ଼ବାଡି ଆଦି ବିଦ୍ୟାଳୟକୁ ବାଧ୍ୟହୋଇ ପାଠ ପଢିବାକୁ ଯାଉଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଗଲେ ପିଲା କେଉଁ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇବ ତାହାକୁ ନେଇ ଅବିଭାବକ ମହଲରେ ଚିନ୍ତାର କାରଣ ହୋଇଥାଏ। ସାଧାରଣ ବର୍ଗ, ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ସମସ୍ତଙ୍କୁ କଷ୍ଟକର ହୁଏ। ଏଣୁ ମୋହନା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ଅନୁମତି ପ୍ରଦାନ କରିବା ପାଇଁ ବିଦ୍ୟାର୍ଥୀ, ଅବିଭାବକ, ଜନପ୍ରତିନିଧି ଓ ଅଞ୍ଚଳବାସୀ ମିଳିତଭାବେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୧୫ ଦିନ ମଧ୍ୟରେ ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।
Popular Categories



