ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୨୪ ତମ ମନ୍ କି ବାତ୍ ବା ମନର କଥା କାର୍ଯ୍ୟକ୍ରମରେ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କ ସାନ୍ତାଳୀ ଶାଢ଼ିକୁ ନୂଆ ଜୀବନ ଦିଆଯାଇଥିବା ଘଟଣାର ଅବତାରଣା କରିଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ପ୍ରମିଳା ପ୍ରଧାନଙ୍କ କଥା କହିଛନ୍ତି। ମୂର୍ଗା ପାହାଡିର ପ୍ରମିଳାଙ୍କ ଦ୍ଵାରା ଗଠିତ ରାଧା କୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ଏବେ ସାରା ଦେଶରେ ବନ ସୁରକ୍ଷା କ୍ଷେତ୍ରରେ ପ୍ରେରଣା ପାଲଟିଛି। ଏହି ସଙ୍କୀର୍ତ୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ମନ୍ତ୍ର ଦେବା ସହ ବନାଗ୍ନି ନିରାକରଣ, ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବେଶ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି।
ମନ୍ କି ବାତରେ ପ୍ରଧାନମନ୍ତ୍ରୀ ପ୍ରମିଳାଙ୍କ ଭଲ କାମର ରୋମନ୍ଥନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ଼ିଓ ଓ ଟିଭିରେ ମନ୍ କି ବାତ୍ ଶୁଣିଥିବା ଓ ଦେଖୁଥିବା ଲୋକେ ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ବାସଭବନ କାର୍ଯ୍ୟାଳୟରେ ବିଦ୍ୟାଧର ବେହେରା ଅଭିମନ୍ୟୁ ଦାସ, ନୃସିଂହ ନାଥ ସିଂହ, ରଞ୍ଜୁବାଳା ନାୟକ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମ ଶୁଣିଥିଲେ।



