କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର କୋଲନିସାହିରେ ବସବାସ କରୁଥିବା ଗରିବ ପରିବାର ପଲିଥିନ ଟାଣି ରହିଥିବା ବେଳେ ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ ରଖାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ପରିବାର ବହୁ ବର୍ଷ ଧରି ମାଝୀଗୁଡାରେ ରହି ଆସୁଥିଲେ ମଧ୍ୟ ଉକ୍ତ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରି ଯାଇନଥିବା ଜଣାପଡ଼ିଛି। ଗରିବ ସୀମା ରେଖା ତଳେ ବସବାସ କରୁଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଉକ୍ତ ଗ୍ରାମରେ ବହୁ ବର୍ଷ ଧରି ଶିରି ପତି ପ୍ରାସ୍କା, ସ୍ତ୍ରୀ ଶିତାଇ ପ୍ରାସ୍କା ଦୁଇ ସନ୍ତାନ କୃତିବାସ ଓ ଶ୍ରାବଣଙ୍କୁ ଧରି ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏହି ପରିବାର ବର୍ତ୍ତମାନ ୮ବର୍ଷ ହେବ କୋଲନି ସାହିରେ ବସବାସ କରୁଛନ୍ତି। ସେ ଚାଳଛପର ଉପରେ ପଲିଥିନ ପକାଇ କାଠ ଲଦି ରହି ଆସୁଛନ୍ତି। କାଳେ ପବନ ହେଲେ ପଲିଥିନ ଉଡାଇଦେଵ ବୋଲି କାଠ ଲଦି ରଖିଥିବା କହିଛନ୍ତି। ସ୍ୱାମୀସ୍ତ୍ରୀ ଦୁହେଁ କୁଲି ବୁର୍ତ୍ତୀ କରି ଯାହା ରୋଜଗାର କରୁଛନ୍ତି ତାହା ୪ ଜଣଙ୍କୁ ନିଅଣ୍ଟ। ସେମାନଙ୍କୁ କେବଳ ପିଡ଼ିଏସ ଚାଉଳ ବ୍ୟତୀତ ଅନ୍ୟ କିଛି ସହାୟତା ମିଳିନଥିବା କହିଛନ୍ତି।
ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଓ ନେତା ମାନଙ୍କୁ ଗୁହାରି କରି ନୟାନ୍ତ ହୋଇ ଗଲୁ କିନ୍ତୁ ଘର ଖଣ୍ଡେ ମିଳିପାରିନାହିଁ। ଗ୍ରାମାଞ୍ଚଳରେ ଆବାସ ଯୋଜନାରେ ବହୁ ଦୁର୍ନୀତି ହେଉଛି। ଏଠାରେ ଗରିବକୁ ଛାଡି ଧନୀ ଲୋକଙ୍କୁ ଘର ମିଳୁଥିବା ବେଳେ ଏହି ପରିବାର ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଘର ଖଣ୍ଡେ ପାଇପାରୁନାହାନ୍ତି। ତେଣୁ ବ୍ଲକ ଓ ଜିଲା ପ୍ରଶାସନ ଏଥି ପ୍ରତିଦୃଷ୍ଟି ଦେଇ ଆବାସ ଯୋଜନାରେ ସାମିଲ କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।



