ଆରଡି: ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଶନିବାର ପବିତ୍ର ଅଳାଁ ନବମୀ ଅବସରରେ ଭାଗବତ ସପ୍ତାହ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ୭ଦିନ ଧରି ମଣିବାବା ପଞ୍ଚାନନ ବେଶରେ ଦର୍ଶନ ଦେବେ ଶ୍ରଦ୍ଧାଳୁଭକ୍ତଙ୍କୁ। ଏଥିପାଇଁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ କାର୍ତ୍ତିକବ୍ରତ ନିମନ୍ତେ ମଣିବାବାଙ୍କୁ ନବବସ୍ତ୍ର, ଚନ୍ଦନ, ବେଲ୍ବପତ୍ର ଆଦି ଲାଗି କରାଯାଇ ଦିଗମ୍ବର ବେଶରେ ପଞ୍ଚୁକ ବାଲ୍ଯଭୋଗ ଲାଗି କରାଯିବ। ଏଥିସହ ଭୋର ୫ଟାରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁଭକ୍ତମାନଙ୍କ ପାଇଁ ସାହଣମେଲା କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ମଧ୍ଯାହ୍ନ ୧ଟାରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯିବ। ସେହିପରି ଅପରାହ୍ଣରେ ବଡସିଂହାର ବେଶ ସହ ସଂଧ୍ଯାରେ ଶୋଡଷ ଉପଚାର ନୀତି କରାଯିବ। ପରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ନିମନ୍ତେ ଘଟ ଉତୋଳନ, ଦ୍ବାରପାଳ ପୂଜା, ପଞ୍ଚଉପଚାର ସହ ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତା ରାହାସ ପୂର୍ଣ୍ଣିମାରେ ବାବା ହରଗୌରୀ ବେଶରେ ଦର୍ଶନ ଦେବେ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି।
Popular Categories



