nua o banner

ଆଜିଠୁ ସାମୁଦ୍ରିକ ମାଛଧରା କଟକଣା

ଅଲିଭ୍‌ ରିଡଲେ କଇଁଚ୍ଛ ପ୍ରଜନନ ଋତୁ ଆରମ୍ଭ

BJD Bijuli 480×75 Mob

ଅସ୍ତରଙ୍ଗ: ବିରଳ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ସୁରକ୍ଷିତ ଆଗମନ ଓ ଗଣ ଅଣ୍ଡାଦାନ ପାଇଁ ଓଡ଼ିଶା ଉପକୂଳରେ ସାମୁଦ୍ରିକ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଏହା ବୁଧବାରଠାରୁ କାର୍ଯ୍ୟକାରୀ ହେବ। ଏହାଦ୍ବାରା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ୨୫ ହଜାର ମତ୍ସ୍ୟଜୀବୀଙ୍କ ସମେତ ପୁରୀ ଜିଲାର ୩ଲକ୍ଷ ପାରମ୍ପରିକ ଓ ଅଣପାରମ୍ପରିକ ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। କଇଁଛ ସୁରକ୍ଷା ପାଇଁ ନଭେମ୍ବର ପହିଲାଠାରୁ ଜୁନ୍ ପହିଲା ୬ମାସ ଧରି ସମୁଦ୍ର କୂଳରୁ ୨୦ କି.ମି. ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତିରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଡଙ୍ଗା, ଟାପା ଓ ଟ୍ରଲର ଚଳାଚଳକୁ ଏହି ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଏଥି ସହିତ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ରାଜ୍ୟ ପୁଲିସ ଓ ତଟରକ୍ଷୀ ବାହିନୀକୁ କ୍ଷମତା ଦିଆଯାଇଛି। ବନ୍ୟପ୍ରାଣୀ ଆଇନ୍୧୯୭୨ ଅନୁଯାୟୀ ବିଲୁପ୍ତପ୍ରାୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ କଇଁଛଙ୍କୁ ଆଇନର ସୂଚୀ (୧)ରେ ସରକାର ତାଲିକାଭୁକ୍ତ କରିଛନ୍ତି। ଏହି କଇଁଛଙ୍କ ସମାଗମ ପାଇଁ ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକା ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ୫ଟି ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଅଲିଭ ରିଡଲେ କଇଁଛଙ୍କ ସମାଗମ ପାଇଁ ଅସ୍ତରଙ୍ଗ ସାମୁଦ୍ରିକ ବେଳାଭୂମି ତୃତୀୟ ସ୍ଥାନରେ ରହିଛି। ୧୯୮୧ରେ ପ୍ରଥମେ ଅସ୍ତରଙ୍ଗ ଦେବୀ ମୁହାଣରେ ଏହି ବିରଳ ସାମୁଦ୍ରିକ ପ୍ରାଣୀ ଦେଖାଦେଇଥିଲେ। ୧୯୯୬ରେ ଆମେରିକାର ଆନ୍ତର୍ଜାତିକ ବାଣିଜ୍ୟ ସଂକ୍ରାନ୍ତ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ଯେଉଁ ଦେଶରୁ ଆମେରିକା ଚିଙ୍ଗୁଡ଼ି ଆମଦାନୀ କରୁଛି ଯଦି ସେଠାରେ ସମୁଦ୍ରରୁ ଚିଙ୍ଗୁଡ଼ି ଧରିଲା ବେଳେ ସାମୁଦ୍ରିକ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି ହେଉଥାଏ ଏବଂ ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ସେହି ଦେଶଗୁଡ଼ିକରୁ ଆମେରିକା ଚିଙ୍ଗୁଡ଼ି ଆମଦାନୀ କରିବ ନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଆମ ରାଜ୍ୟରେ ଏହି ଆଇନ୍ କାର୍ଯ୍ୟକାରୀ ହେଉଛି।

ଅସ୍ତରଙ୍ଗ ବନାଞ୍ଚଳ ବନପାଳ ବଳରାମ ସାହୁ କୁହନ୍ତି, ଅସ୍ତରଙ୍ଗ ବନାଞ୍ଚଳ ଦେବୀ ମୁହାଣରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ୫ଟି ଅସ୍ଥାୟୀ ଶିବିର କରାଯାଇ ସାମୁଦ୍ରିକ କଟକଣା ସୁନିଶ୍ଚିତ କରିବା ପାଇଁ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପୁରୀ ବନଖଣ୍ଡ ବନାଞ୍ଚଳ ଅଧିକାରୀ ରାମସ୍ୱାମୀ.ପି କହିଛନ୍ତି, ବିରଳ ପ୍ରଜାତିର ବହିରାଗତ ସାମୁଦ୍ରିକ ଅତିଥି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଦେବୀ ମୁହାଣଠାରୁ ବ୍ରହ୍ମଗିରି ଆରଖକୁଦା ମୁହାଣ ପର୍ଯ୍ୟନ୍ତ ତଟରକ୍ଷୀ ବାହିନୀ, ଓଡ଼ିଶା ପୁଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସାମୁଦ୍ରିକ କଟକଣା ପାଳନ କରିବାକୁ କଡ଼ା ପଦକ୍ଷେପ ନିଆଯାଇଛି।

Comments are closed.