nua o banner

ଓଡ଼ିଶା ମିଲେଟସ୍‌ ମିଶନକୁ ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର

BSKY banner  750×100

ହାଇଦ୍ରାବାଦ/ଭୁବନେଶ୍ୱର: ଓଡ଼ିଶା ମିଲେଟସ୍‌ ମିଶନକୁ ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର ମିଳିଛି। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଅବସରରେ ଏହି ପୁରସ୍କାର ଓଡ଼ିଶା ମିଲେଟସ୍‌ ମିଶନକୁ ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଡ. ପାଢ଼ୀ ଆଇଆଇଏମ୍‌ଆର୍‌, ନ୍ୟୁଟ୍ରିହବ୍‌, ଭାରତୀୟ କୃଷି ଗବେଷଣା କେନ୍ଦ୍ର, ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଏବଂ ଜୁରି ସଦସ୍ୟମାନଙ୍କୁ ଓଡ଼ିଶା ମିଲେଟସ୍‌ ମିଶନକୁ ମିଲେଟସ୍‌ର ଗ୍ଲୋବାଲ୍‌ ମଡେଲ ଭାବରେ ସ୍ୱୀକୃତି ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଡ. ପାଢ଼ୀ ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି, ଯାହାଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଏବଂ ମିଲେଟସ୍‌ ପାଇଁ ପ୍ରତିବଦ୍ଧତା ଓଡ଼ିଶା ମିଲେଟସ୍‌ ମିଶନକୁ ସଫଳ କରିପାରିଛି। ଡ. ପାଢ଼ୀ ଏହି ପୁରସ୍କାରକୁ ଓଡ଼ିଶା ମିଲେଟସ୍‌ ମିଶନର ପ୍ରକୃତ ନାୟକ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିହନର ସଂରକ୍ଷକ କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ, ସେ୍ୱଚ୍ଛାସେବୀ ସଂଗଠନ ଏବଂ ସହକର୍ମୀ ଏବଂ ବିଭାଗର କର୍ମଚାରୀଙ୍କୁ ଉତ୍ସର୍ଗ କରିଛନ୍ତି। ଡ. ପାଢ଼ୀ ଓଡ଼ିଶା ମିଲେଟସ୍‌ ମିଶନର ଭାଗୀଦାରିତା ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ, ଯାହାକି ଯୋଜନାର ସଫଳ ରୂପାୟନର ମାର୍ଗ ପ୍ରଶସ୍ତ କରିପାରିଛି ଏବଂ ମିଲେଟସ୍‌ର ପୁନରୁଦ୍ଧାର ନିମନ୍ତେ ଅନୁକରଣୀୟ ଓ ହାସଲଯୋଗ୍ୟ ମଡେଲ ଭାବରେ ସ୍ୱୀକୃତି ପାଇଛି।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଆନୁକୂଲ୍ୟରେ ହାଇଦ୍ରାବାଦଠାରେ ନଭେମ୍ବର ୨୭ ଓ ୨୮ ତାରିଖରେ ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଆୟୋଜନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୌନ୍ଦରାରାଜନ୍‌ ଅଧ୍ୟକ୍ଷତା କରିଥିବାବେଳେ ପୁଡୁଚେରୀର ଉପରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏଥିରେ ଏମସ୍‌, ହାଇଦ୍ରାବାଦ୍‌ର ନିର୍ଦେଶକ, ସିଏସିପିର ଅଧ୍ୟକ୍ଷ ଆଇସିଏଆର୍‌ଏନ୍‌ଏଏଆର୍‌ଏମ୍‌ର ନିର୍ଦ୍ଦେଶକ, ଏନ୍‌ଆର୍‌ଏଏର ପୂର୍ବତନ ସିଇଓ ଆଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବାବେଳେ ଉଦ୍‌ଘାଟନୀ ଉତ୍ସବରେ ଆଇଆଇଏମ୍‌ଆର୍‌ର ନିର୍ଦ୍ଦେଶକ, ନ୍ୟୁଟ୍ରିହବ୍‌ର ସିଇଓ, ଇକ୍ରିସାଟ୍‌ର ମହାନିର୍ଦ୍ଦେଶକ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଭାରତର କଣ୍ଟି୍ର ନିର୍ଦ୍ଦେଶକ ଏବଂ ଖାଦ୍ୟ ଓ କୃଷି ସଂଗଠନର ଭାରତରେ ଅବସ୍ଥାପିତ ପ୍ରତିନିଧିମାନେ ଯୋଗଦେଇଥିଲେ।

ସମ୍ମିଳନୀର ବିଷୟବସ୍ତୁ ଥିଲା ‘ମେନ୍‌ଷ୍ଟି୍ରମିଙ୍ଗ୍‌ ମିଲେଟସ୍‌ ନାଓ ଆଣ୍ଡ ବିୟୋଣ୍ଡ ୨୦୨୩’, ଯାହାକି ଆଜିର ଦିନରେ ଏହି ପ୍ରାଚୀନ ଶସ୍ୟର ମହତ୍ତ୍ୱକୁ ପ୍ରଦର୍ଶିତ କରୁଛି। ସମ୍ମିଳନୀରେ ସରକାରୀ ଅଧିକାରୀ, ନୀତି ନିର୍ଦ୍ଧାରକ, ଗବେଷକ, ଏଫ୍‌ଏମ୍‌ସିଜିର ବହୁ ପ୍ରତିନିଧି ଯୋଗଦେଇଥିଲେ। ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଉଦ୍‌ଯାପନୀ ଉତ୍ସବରେ ଅଭିଭାଷଣ ଦେବା ସହିତ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପାଇଁ ରାଜ୍ୟ ମିଲେଟସ୍‌ ମିଶନ ମାଧ୍ୟମରେ ମିଲେଟସ୍‌କୁ ମୁଖ୍ୟଧାରାରେ ସମ୍ମିଳିତ କରିବା ଆଧାରିତ ବିଷୟବସ୍ତୁର ଅଧିବେଶନରେ ସହଅଧ୍ୟକ୍ଷ ଭାବେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆଇଏନ୍‌ସିସି ୫.୦ରେ ଓଡ଼ିଶା ମିଲେଟସ୍‌ ମିଶନକୁ ପୋଷକ ଅନାଜ୍‌ ପୁରସ୍କାର ଏହାର ଲୋକାଭିମୁଖୀ ଫାର୍ମରୁ ଖାଦ୍ୟଥାଳି ଆଭିମୁଖ୍ୟ ପାଇଁ ଏକ ଉପଯୁକ୍ତ ସ୍ୱୀକୃତି ଅଟେ, ଯାହାକି ଖାଦ୍ୟ ସୁରକ୍ଷା, ପୁଷ୍ଟିକର ଖାଦ୍ୟ, ଜଳବାୟୁ ପରିବର୍ତ୍ତନ, ମହିଳା ସଶକ୍ତିକରଣ ଏବଂ ଉଦ୍ୟୋଗୀ ସୃଷ୍ଟି ଆଦି ଏକାଧିକ ସମାଧାନ ପାଇଁ ଅଂଶୀଦାରମାନଙ୍କୁ ଗୋଟିଏ ପ୍ଲାଟଫର୍ମ ଅଧିନକୁ ଆଣିପାରିଛି । ବିହନ ଯୋଗାଣଠାରୁ ଆରମ୍ଭ କରି ଉନ୍ନତ କୃଷି ପଦ୍ଧତିକୁ ପ୍ରୋତ୍ସାହନ, ପାରମ୍ପରିକ ଭୂପ୍ରଜାତିର ସଂରକ୍ଷଣ, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ମାଣ୍ଡିଆ ସଂଗ୍ରହକୁ ସୁନିଶ୍ଚିତ କରିବା, ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଅନୁକୂଳ ପରିବେଶ ନିର୍ମାଣ ଏବଂ କୃଷକ ଓ ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଉଛି।

ରାଜ୍ୟରେ ଓଡ଼ିଶା ମିଲେଟସ୍‌ ମିଶନ ବ୍ୟାପକ ଭାବରେ ମିଲେଟସ୍‌ର ପୁନରୁଦ୍ଧାର କାର୍ଯ୍ୟ କରିଥିବାବେଳେ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏବଂ ବିଶ୍ୱ ପାଇଁ ଏକ ମଡେଲ କାର୍ଯ୍ୟକ୍ରମ ସାବ୍ୟସ୍ତ ହୋଇପାରିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ରୂପେ ପାଳନ କରୁଛି। ସଂପ୍ରତି ଆନ୍ତର୍ଜାତିକ ମିଲେଟସ୍‌ ବର୍ଷ ଓ ମାଣ୍ଡିଆ ଦିବସ ପାଳନ ଉପଲକ୍ଷେ ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମିଲେଟସ୍‌ ସମ୍ମିଳନୀ ଆୟୋଜିତ ହୋଇଯାଇଛି, ଯାହାକି ସବୁସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏଥି ସହିତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ‘ମିଲେଟସ୍‌ର ଭୁବନେଶ୍ୱର ଘୋଷଣାନାମା’ ପ୍ରକିୟାଧିନ ରହିଛି ବୋଲି ଡ. ପାଢ଼ୀ ଅଧିବେଶନରେ ସୂଚନା ଦେଇଛନ୍ତି ।

ହାଇଦ୍ରାବାଦରେ ଆୟୋଜିତ ଏହି ସମ୍ମିଳନୀର ଅନେକଗୁଡ଼ିଏ ବୈଷୟିକ ଅଧିବେଶନ, ବୁଝାମଣାପତ୍ର ସ୍ୱାକ୍ଷର, ପୁସ୍ତିକା ଆଦି ପ୍ରକାଶନ କରାଯାଇଥିଲା। ବୈଷୟିକ ଅଧିବେଶନରେ ପୁଷ୍ଟିକର ଏବଂ ଜଳବାୟୁ ସହନଶୀଳ କୃଷିକାର୍ଯ୍ୟ, ମିଲେଟସ୍‌ ମୂଲ୍ୟଶୃଙ୍ଖଳ, ଖାଦ୍ୟରେ ବିବିଧତା, ବର୍ଦ୍ଧିତ ପୁଷ୍ଟିକର ଖାଦ୍ୟ ଏବଂ ମିଲେଟସ୍‌ ରପ୍ତାନୀ ସହ ମିଲେଟସ୍‌କୁ ରାଜ୍ୟ ମିଲେଟସ୍‌ ମିଶନ ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରି ଖାଦ୍ୟ ଓ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା, ମିଲେଟସ୍‌ ଷ୍ଟାର୍ଟଅପ୍‌କୁ ସୁଦୃଢ଼ କରିବା, ଦେଶରେ ମିଲେଟସ୍‌କୁ ମୁଖ୍ୟଧାରାକୁ ଆଣିବା ପାଇଁ ନୀତିରେ ପରିବର୍ତ୍ତନ କରିବା ପାଇଁ ସକ୍ଷମ କରିବା ଏବଂ ଉଦ୍ୟୋଗ ସମାବେଶୀ ମିଲେଟସ୍‌କୁ ପ୍ରୋତ୍ସାହନ ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ଡ. ପାଢ଼ୀଙ୍କ ସହିତ ମିଲେଟସ୍‌ ସ୍କିମ୍‌ ଅଧିକାରୀ କଳ୍ପନା ପ୍ରଧାନ, ସ୍ୱୟଂଶ୍ରଦ୍ଧା ମହିଳା ମହାସଂଘର ପ୍ରତିନିଧିମାନେ ଯୋଗଦେଇଥିଲେ।

Comments are closed.