ଡେସ୍କ: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ ଏବଂ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶପଥ ନେବେ। କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।



