କଟକ: ବିଧାୟକ ଓ ସାଂସଦ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ନିଷ୍ପତ୍ତିକୁ ବିରୋଧ କରି ଆଗତ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ୧୩ ମେ ୨୦୨୫ ଆଦେଶକୁ ରଦ୍ଦ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ଅଦାଲତ ନାପସନ୍ଦ କରିବା ସହ ବିଧାୟକଓ ସାଂସଦଙ୍କ ସୁପାରିସରେ ହୋଇଥିବା ସମସ୍ତ ବଦଳି ବାତିଲ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ବଦଳି ବାତିଲ ଆଦେଶ ଶିକ୍ଷା ବର୍ଷ ଅଧାରୁ ନୁହେଁ, ଶିକ୍ଷା ବର୍ଷ ଶେଷ ପରେ ନିଜ ସ୍ଥାନକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଫେରାଇ ଅଣାଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ସାଂସଦ-ବିଧାୟକଙ୍କ ସୁପାରିସରେ ବଦଳି ହୋଇଥିଲେ ସେମାନେ ନିଜର ପୂର୍ବ ସ୍କୁଲକୁ ଫେରିବେ। ବିଚାରପତି ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏ ସଂକ୍ରାନ୍ତରେ ଦାୟର ୩୦ରୁ ଅଧିକ ରିଟ୍ ପିଟିସନ୍କୁ ଏକତ୍ର ଶୁଣାଣି କରି ଗୁରୁବାର ଏହି ରାୟ ପ୍ରକାଶ କରିଛନ୍ତି।
ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ବୋଲି ରାଜ୍ୟ ସରକାର ଚଳିତ ବର୍ଷ ନୀତିଗତ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏପରି ନୀତି ନ୍ୟାୟସଙ୍ଗତ ନୁହେଁ ଏବଂ ଏହାଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଙ୍ଗ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଥିଲା। ରଞ୍ଜନ କୁମାର ତ୍ରିପାଠୀ ଓ ଅନ୍ୟମାନଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ପକ୍ଷରୁ ୨୦୨୫ ମେ’ ୧୩ରେ ପତ୍ର ମାଧ୍ୟମରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା। ପ୍ରତି ବିଧାୟକ ଓ ସାଂସଦ ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆବେଦନକାରୀ ପ୍ରଭାବିତ ହୋଇଛନ୍ତି। ଏଭଳି ନିଷ୍ପତ୍ତି ନେବା ପାଇଁ ସରକାରଙ୍କ କ୍ଷମତା ନାହିଁ ଓ ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ।



