ଭୁବନେଶ୍ୱର: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅନୁଗୋଳ ଉପଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ କୁମାର ସାହୁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ରାଜ୍ୟ ମହିଳା ଆୟୋଗ ଏବଂ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିବା ଉପଆରକ୍ଷୀ ଅଧୀକ୍ଷକ ଶ୍ରୀ ସାହୁଙ୍କ ପତ୍ନୀ ମମତା ସାହୁ ବୁଧବାର ମାନବିକ ଅଧିକାର ସୁରକ୍ଷା ପ୍ରକୋଷ୍ଠର ଅତିରିକ୍ତ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଖୁବ୍ଶୀଘ୍ର ସେ ତାଙ୍କ ତ୍ସ୍ୱାମୀଙ୍କ ବିରୋଧରେ ଧୋକା, ନିର୍ଯାତନା ଓ ଅପରାଧିକ ମାମଲା ନେଇ ଅଭିଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗତ ସପ୍ତାହରେ ସେ ନିର୍ଦିଷ୍ଟ ତଥ୍ୟକୁ ଆଧାରିତ କରି ତାଙ୍କ ସ୍ୱାମୀଙ୍କ ବିରୋଧରେ ମୁଁହ ଖୋଲିଥିଲେ। ଅନୁଗୋଳରେ ଉପଆରକ୍ଷୀ ଅଧୀକ୍ଷକ ଥିବା ଶ୍ରୀ ସାହୁ ମୟୂରଭଞ୍ଜ ରାସଗୋବିନ୍ଦପୁର ମହିଳା ଥାନାର ଅଧିକାରୀ ଲୋପାମୁଦ୍ରା ସାହୁଙ୍କୁ ତାଙ୍କ ଅଗୋଚରରେ ବିବାହ କରିଛନ୍ତି। ତେବେ ଏହାକୁ ସେ ପ୍ରତିବାଦ କରିବାରୁ ତାଙ୍କୁ ଶାଶୂ ଘରେ ନିର୍ଯାତନା ଦିଆଯାଉଥିଲା। ତାଙ୍କୁ ସ୍ୱାମୀ, ଶାଶୂ ଓ ନଣନ୍ଦ ନିର୍ଯାତନା ଦେଉଥିଲେ। ସେ ଏଭଳି ନିର୍ଯାତନା ସମ୍ପର୍କରେ ମୁଁହ ଖୋଲିବାରୁ ତାଙ୍କ ଚରିତ୍ରକୁ ନେଇ ନିକଟରେ ଶାଶୂ ଆପତ୍ତି ଉଠାଇଛନ୍ତି।
ଏନେଇ ମମତା ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କର ୧୦ ବର୍ଷର ପୁଅ ଅଛି। ସେ ଏପର୍ଯ୍ୟନ୍ତ ଶାଶୂ ଓ ସ୍ୱାମୀଙ୍କ ପାଖରେ ଗୋଟିଏ ଘରେ ରହି ଆସୁଥିଲେ। ସେତେବେଳେ କେହି ଏଭଳି ଅଭିଯୋଗ ଆଣିି ନ ଥିଲେ। ଏବେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମୁହଁ ଖୋଲିବା ପରେ ତାଙ୍କ ଚରିତ୍ର ସଂହାର କରାଯାଉଛି। ଶ୍ରୀ ସାହୁ ତାଙ୍କୁ ଧୋକା ଦେଇ ଅନ୍ୟଜଣଙ୍କୁ ବିବାହ କରିଛନ୍ତି ସେନେଇ ପରିବାର ଲୋକେ ଚୁପ୍ ରହୁଛନ୍ତି। ତାଙ୍କର ଏବେ ସାଢ଼େ ୩ ବର୍ଷର ଏକ ପୁତ୍ର ସନ୍ତାନ ଅଛି। ତାଙ୍କ ଅଗୋଚରରେ ସ୍ୱାମୀ ବିବାହ ବିଚ୍ଛେଦ ଲାଗି ଅଦାଲତରେ ଆବେଦନ କରିଥିଲେ। ଏ ସମ୍ପର୍କରେ ସେ ପରେ ଜାଣିବାକୁ ପାଇବାରୁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ବିଚାରାଧୀନ ରହିଛି। ଅଦାଲତରେ ତାଙ୍କର ବିବାହ ବିଚ୍ଛେଦ ହୋଇ ନ ଥିବା ବେଳେ ଜଣେ ସରକାରୀ କର୍ମଚାରୀ କିଭଳି ଦ୍ୱିତୀୟ ବିବାହ କରିଛନ୍ତି ମମତା ଏନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଏବେ ଥିବା ଦ୍ୱିତୀୟ ପୁତ୍ରର ଡିଏନ୍ଏ ପରୀକ୍ଷା କରାଗଲେ ସମସ୍ତ ରହସ୍ୟ ପଦାକୁ ଆସିବ ବୋଲି ମମତା ଦାବି କରିଛନ୍ତି।


