ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ସ୍ବାଇଁ ଓ ଅନ୍ୟ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେମାନଙ୍କ ସମ୍ପର୍କରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର, ଗୃହରେ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଅପରପକ୍ଷେ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପ୍ରବେଶ ଦ୍ବାରରେ କଂଗ୍ରେସ ବିଧାୟକମାନେ ବସି ରହି ମମିତା ହତ୍ୟାକାଣ୍ଡର ଦୋଷୀମାନଙ୍କ ପ୍ରତି କଠୋର ଦଣ୍ଡବିଧାନ ଦାବି କରିଥିଲେ। ଏଥିସହିତ ସେମାନେ ବିଧାନସଭା ପ୍ରବେଶ ଦ୍ବାରରେ ତାଲା ପକାଇଥିଲେ।



