www.samajalive.in
Wednesday, December 10, 2025
26.1 C
Bhubaneswar

ଓଡିଶା – ଆରୋଗ୍ୟ ହାରରେ ୧୧, ସଙ୍କ୍ରମିତରେ ୧୭‌

ଭୁବନେଶ୍ବର: ବର୍ଦ୍ଧିତ କରୋନା ସଂକ୍ରମଣ ଭିତରେ କିଛିଟା ଆଶ୍ବସ୍ତି ଆଣିଛି ସୁସ୍ଥତା ହାର। ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଆଜି ମେଡିକାଲରୁ ଘରକୁ ଯାଇଥିବା ୬୧୨ ସୁସ୍ଥଙ୍କୁ ମିଶାଇ ଏପର୍ୟ୍ୟନ୍ତ ୧୦,୪୭୬ ଜଣ ଆରୋଗ୍ୟ ଲାଭ କଲେଣି। ବର୍ତ୍ତମାନ ୪୩୨୧ ସଂକ୍ରମିତ ବିଭିନ୍ନ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ କରୋନାରେ ୭୭ ଜଣଙ୍କ ଜୀବନ ଯାଇଛି। ଆଜି ହଟ୍‌ସ୍ପଟ୍ ଜିଲା ଗଞ୍ଜାମରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଆଉ ୩ ସଂକ୍ରମିତ ଆଖି ବୁଜିଥିବା ବେଳେ ଭୁବନେଶ୍ବରରେ ୭୨ ବର୍ଷୀୟ ଓ ଗଞ୍ଜାମରେ ୬୫ ବର୍ଷୀୟ ଏବଂ ୮୬ ବର୍ଷୀୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଆଜି ଗଞ୍ଜାମରେ ୭୨ ବର୍ଷୀୟ ଓ ଖୋର୍ଦ୍ଧାରେ ୫୨ ବର୍ଷୀୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଥିଲେ ବି କରୋନା ପଜିଟିଭ୍‌ ଥାଇ ଅନ୍ୟ କାରଣ ପାଇଁ ସେମାନଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଆରୋଗ୍ୟ ହାର ତାଲିକାରେ ଓଡ଼ିଶା ୧୧ମ ସ୍ଥାନରେ ଅଛି। ସେହିପରି ସର୍ବାଧିକ ପଜିଟିଭ୍ ଆକ୍ରାନ୍ତ ରାଜ୍ୟ ତାଲିକାରେ ଓଡ଼ିଶା ଏବେ ୧୭ତମ ସ୍ଥାନରେ ରହିଛି। ବୁଧବାର ୬୧୮ ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ୟ୍ୟନ୍ତ ୧୪,୮୯୮ ସଂକ୍ରମିତ ଚିହ୍ନଟ ହେଲେଣି। ଆଜି ଚିହ୍ନଟ ହୋଇଥିବା ୬୧୮ ସଂକ୍ରମିତଙ୍କ ମଧ୍ୟରୁ ୪୧୧ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୨୦୭ ଜଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଗଞ୍ଜାମ ଜିଲାରେ ଏବେ ୧୬୦୧ ରୋଗୀ ଚିକିତ୍ସାଧୀନ ଥିବାବେଳେ ୨୯୭୧ ସୁସ୍ଥ ହେଲେଣି। ବୁଧବାର ଗଞ୍ଜାମ ପରେ ସୁନ୍ଦରଗଡ଼ରେ ୮୪, କେନ୍ଦୁଝରରୁ ୪୮, ଗଜପତିରେ ୩୫, ବାଲେଶ୍ବରରେ ୩୧, ଖୋର୍ଦ୍ଧାରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ତାଲିକାରେ ଆଗୁଆ ଥିବା ଗଞ୍ଜାମ ଜିଲାରୁ ଏଯାଏ ସର୍ବାଧିକ ୨୯୭୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ଏକ ହଜାର, କଟକରୁ ୮୨୮, ଯାଜପୁର ୫୮୭, ସୁନ୍ଦରଗଡ଼ରେ ୫୩୭, ଗଜପତି ୪୮୫, ବାଲେଶ୍ବରରୁ ୪୫୧, ଜଗତସିଂହପୁରରେ ୩୨୬, ପୁରୀରେ ୨୯୪, ମୟୂରଭଞ୍ଜରେ ୨୮୫, କେନ୍ଦ୍ରାପଡ଼ାରେ ୨୮୦, ଭଦ୍ରକରେ ୨୭୯, କେନ୍ଦୁଝରରେ ୨୫୪, ବଲାଙ୍ଗୀରରେ ୨୨୦, ନୟାଗଡ଼ରେ ୨୧୧ ସଂକ୍ରମିତ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଛାଡ଼ ପାଇଛନ୍ତି। ମେ ୨୪ ତାରିଖରେ ସୁସ୍ଥଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଥିଲା। ଏହି ଦିନ ୭୭୮ ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୫୫୦ରେ ପହଞ୍ଚି ଥିଲା। ମେ’ ୩୦ ତାରିଖରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରି ୧୦୫୦ ଛୁଇଁ ଥିବା ବେଳେ ସେହି ସମୟରେ ୭୬୦ ଜଣ ଚିକିତ୍ସାଧୀନ ଥିଲେ। ଜୁନ୍ ୩୦ ତାରିଖରେ ସୁସ୍ଥଙ୍କ ସଂଖ୍ୟା ୫ ହଜାର ଡେଇଁ ୫୧୮୯ରେ ପହଞ୍ଚିଥିଲା। ସେତେବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ଥିଲା ୧୮୪୪ ଏବଂ ୨୫ ଜଣ କରୋନା ସଂକ୍ରମିତ ଆଖି ବୁଜି ସାରିଥିଲେ। ତେବେ ମେ’ ୨୭ ତାରିଖ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାକୁ ସୁସ୍ଥଙ୍କ ସଂଖ୍ୟା ଅତିକ୍ରମ କରିଥିଲା। ଏହି ସମୟରେ ଓଡ଼ିଶାରେ ସୁସ୍ଥତା ହାର ୫୦.୯୭ ପ୍ରତିଶତ ରହିଥିଲା। ଜୁନ୍ ୨୧ ତାରିଖ ବେଳକୁ ରାଜ୍ୟରେ ଏହି ହାର ବୃଦ୍ଧି ପାଇ ୭୧.୭୭ ପ୍ରତିଶତରେ ପହଞ୍ଚିଥିଲା। ଜୁଲାଇ ୧୨ ତାରିଖରେ ସୁସ୍ଥତା ହାର କିଛିଟା ହ୍ରାସ ପାଇ ୬୬.୬୮ ପ୍ରତିଶତ ରହିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories