ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବାକୁ ଯାଉଛି ଏୟାର କାର୍ଗୋ ସେବା: ଏମଏସଏମଇ ସଚିବ

ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ଓ ବାର୍ଷିକ ସଦସ୍ୟ ସମ୍ମିଳନୀ

-ଓଡ଼ିଶାକୁ ଫାର୍ମା ଏବଂ ପ୍ଲାଷ୍ଟିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଆବଶ୍ୟକତା ରହିଛି: ଡିଜିଏଫଟି ଡିଜି

ଭୁବନେଶ୍ୱର: ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ଓ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ, ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବ।
ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ରେ ଯୋଗଦେଇ ଶ୍ରୀ କହିଛନ୍ତି ଯେ ଏ ସମ୍ପର୍କରେ ନିକଟରେ ଏକ ବୈଠକ କରାଯାଇଥିଲା, ଯେଉଁଥିରେ ସମସ୍ତ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏୟାର କାର୍ଗୋ ସେବା ଆରମ୍ଭ କରିବା ଲାଗି ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋରଶୋରରେ ଚାଲିଛି। ଏହା ଖୁବ ଶୀଘ୍ର ଶେଷ ହେବ ବୋଲି ଅନୁମାନ କରାଯାଉଛି। ଏହାପରେ ବ୍ୟୁରୋ ଅଫ ସିଭିଲ ଏଭିଟେସନର ଅଧିକାରୀମାନେ ଗସ୍ତ କରି ବିକାଶର ଅନୁଧ୍ୟାନ କରିବେ। ଇଣ୍ଡିଗୋ କାର୍ଗୋ ସହିତ ହିତାଧିକାରୀ ବୈଠକର ମଧ୍ୟ ଯୋଜନା କରାଯାଇଛି, ଯେଉଁଠାରେ ରପ୍ତାନିକାରୀମାନେ ସେମାନଙ୍କ ସହିତ ଅନେକ ଦିଗ ଉପରେ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି।

ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ତାଙ୍କ ଅଭିଭାଷଣରେ ରାଜ୍ୟ ରପ୍ତାନି ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ରପ୍ତାନିକାରୀଙ୍କ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିଆଯାଇଥିବା ଡ଼ିଜିଟାଲ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଆହୁରି ମଧ୍ୟ ରାଜ୍ୟ ଭିତରେ ଏୟାର କାର୍ଗୋ ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରର ବିକାଶ ଉପରେ ଆଲୋଚନା କରିଥିଲେ।

କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ, ନୂଆଦିଲ୍ଲୀର ଡିଜି ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି ଯେ, “ଭାରତ ୨୦୩୦ ସୁଦ୍ଧା ୨ ଟ୍ରିଲିୟନ୍ ଡ଼ଲାର ରପ୍ତାନୀ ଲକ୍ଷ୍ୟ ରଖିଥିବାବେଳେ ସାମଗ୍ରୀ ଓ ସେବା କ୍ଷେତ୍ରରେ ୧ ଟ୍ରିଲିୟନ ଡ଼ଲାର ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଆମର ରପ୍ତାନି ୪୫୦ ବିଲିୟନ ଡ଼ଲାରରେ ଏବଂ ଏକ ଟ୍ରିଲିୟନ ଡ଼ଲାରରେ ପହଞ୍ଚିବାକୁ ଆମକୁ ବାର୍ଷିକ ୧୨ ପ୍ରତିଶତ ଅଭିବୃଦ୍ଧି କରିବାକୁ ପଡ଼ିବ। ଠିକ୍ ସେହିପରି ସେବା ରପ୍ତାନି କ୍ଷେତ୍ରରେ ପ୍ରତିବର୍ଷ ହାରାହାରି ୧୬.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଆମର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ପାଇଁ ବିପୁଳ ସୂଯୋଗ ପ୍ରଦାନ କରିଥାଏ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଅକ୍ଷୟ ଶକ୍ତିିଭଳି କ୍ଷେତ୍ର ଆମକୁ ଏକ୍ଷେତ୍ରରେ ସାହାଯ୍ୟ କରିବ। ସେ ଆହୁରି ମଧ୍ୟ କହିଛନ୍ତିଯେ, ରପ୍ତାନି ବୃଦ୍ଧି ପାଇଁ ଓଡ଼ିଶାକୁ ଫାର୍ମା ଏବଂ ପ୍ଲାଷ୍ଟିକ୍ କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି।”
ଇଣ୍ଡୋ-ଅଷ୍ଟ୍ରେଲିଆନ୍ ଚାମ୍ବର ଅଫ୍ କମର୍ସର ସିଇଓ, ମିସ୍ ପେଟୁଲା ଥୋମାସ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ, “ ଓଡ଼ିଶାର ଶିଳ୍ପ ସହ ଯୋଡ଼ି ହେବା ଏହା ଆମ ପାଇଁ ଏକ ବୃହତ ସୁଯୋଗ।

prayash

ଆଜି ଆମେ ରାଜ୍ୟ ସରକାରଙ୍କ ସହ ମଧ୍ୟ ଏଥି ସମ୍ପର୍କରେ ଆଲୋଚନା କରିଛୁ। ଧାତୁ ଏବଂ ଖଣି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ବହୁତ ସୁଯୋଗ ରହିଛି। ଆମ ସହବନ୍ଧନ ପାଇଁ ଡବ୍ଲ୍ୟୁଟିସି ହେଉଛି ଏକ ଉପଯୁକ୍ତ ପ୍ଲାଟଫର୍ମ। ଆମେ ଆଶା କରୁଛୁ ଯେ, ଏହି ନୂତନ ବାଣିଜ୍ୟିକ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବ।”

ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ମୁମ୍ବାଇର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରୀ କହିଛନ୍ତି ଯେ, “ଭାରତ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଥିବାରୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏମଏସଏମଇକୁ ରପ୍ତାନୀ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇବାକୁ ପଡ଼ିବ। ରପ୍ତାନୀ ଦୃଷ୍ଟିରୁ ଆମେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛୁ। ଆଗାମୀ ପାଂଚ ବର୍ଷ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିବ। ସମୁଦାୟ ଭାବେ ଆମର ରପ୍ତାନୀ ବହୁତ ଯଥେଷ୍ଟ କିନ୍ତୁ ତଥାପି କେତେକ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି, ଯାହାକି ଏସିଅନ, ବ୍ରିକ୍ସ, ବିମଷ୍ଟେକ ଇତ୍ୟାଦି ସହିତ ସମନ୍ୱୟ ଦ୍ୱାରା ସମ୍ଭବ ହୋଇପାରିବ। ଆଇଟି ଏବଂ ଆଇଟିସ ଓ ଫାର୍ମା ଭଳି ଅନେକ କ୍ଷେତ୍ରରେ ଆମେ ବ୍ରାଣ୍ଡ ହୋଇପାରିବା। ”

ୱାର୍ଲଡ୍ ଟ୍ରେଡ୍ ସେଂଟର ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପ୍ଟେନ୍ ସୋମେଶ ବାତ୍ରା କହିଛନ୍ତି ଯେ, “ସମସ୍ତ ହିତାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ସହାୟତା ସହିତ ଆମେ ବୃହତ କାର୍ଯ୍ୟାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ଓ ସମ୍ମିଳନୀ କେନ୍ଦ୍ର ସହିତ ଆହୁରି ବୃହତ ଆକାରରେ ବୃଦ୍ଧି କରିପାରିବା। ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଆମ ଦଳ କଠିନ ପରିଶ୍ରମ କରୁଛନ୍ତି।”
ଏହି ଅବସରରେ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଭୁବନେଶ୍ୱରର ଅବୈତନିକ ସଂଯୋଜକ ରାଜେନ୍ ପାଢ଼ୀ ଉପସ୍ଥିତ ଥିଲେ। ସେ ରପ୍ତାନୀ ଦୃଷ୍ଟିରୁ ଓଡ଼ିଶାର ଝାରସୁଗୁଡ଼ାକୁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବେ ଆଲୋକପାତ କରିଛନ୍ତି।
ଓଡ଼ିଶାର ଏମଏସଏମଇମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ପହଂଚିବାରେ ସାହାଯ୍ୟ କରିବା ଲାଗି ଏହି ଅବସରରେ ଓସିଆ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ୨୦୨୩ ଆୟୋଜନ କରାଯାଇଛି। ଆନ୍ତର୍ଜାତୀୟ କାରବାର ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଞ୍ଚଳିକ ବିକାଶ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଲଗାତାର ଷଷ୍ଠ ବର୍ଷ ପାଇଁ ଓଡ଼ିଶାରେ ଏହାକୁ ପାଳନ କରାଯାଉଛି। ୨୦୨୩ ଜୁଲାଇ ୨୧ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଆନ୍ତର୍ଜାତୀୟ କାରବାର-ସୀମାପାରରେ ବ୍ୟବସାୟ ବୃଦ୍ଧି’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

Comments are closed.