ଭୁବନେଶ୍ବର: ଦୀର୍ଘ ୭ ବର୍ଷ ପରେ ଏଚ୍ଆଇଭି, ଏଡ୍ସ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର। ଏଚ୍ଆଇଭି ସଂକ୍ରମିତଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ ଜୋନ୍ସ୍ତରରେ ଲୋକପାଳ ଗଠନ କରାଯିବ। ପୂରା ରାଜ୍ୟକୁ ୫ ଜୋନ୍ରେ ଭାଗ କରାଯାଇ ଲୋକପାଳ ନିଯୁକ୍ତ କରାଯିବ। ଏଚ୍ଆଇଭି ସଂକ୍ରମିତଙ୍କ ପ୍ରତି ପକ୍ଷପାତିତା ବନ୍ଦ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ସାମାଜିକ ସୁରକ୍ଷା ଆଦି କ୍ଷେତ୍ରରେ ସେମାନଙ୍କ ଅଧିକାର ସୁନିଶ୍ଚିତ କରାଯିବ। ଗତ ୨୦ ତାରିଖରେ ବିଭିନ୍ନ ବିଭାଗ ତଥା ବେସରକାର ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଚ୍ଆଇଭି ସଂକ୍ରମିତଙ୍କୁ ଆଜି ବି ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କୁ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉ ଥିବା ଅଭିଯୋଗ ରହିଛି। ଏଚ୍ଆଇଭି ସଂକ୍ରମିତଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ ପାଇଁ କେନ୍ଦ୍ର ସରକାର ୨୦୧୭ ମସିହାରେ ଏଚ୍ଆଇଭି ଏଡ୍ସ (ନିବାରଣ ଓ ନିୟନ୍ତ୍ରଣ) ଆଇନ ପ୍ରଣୟନ ସହିତ ରାଜ୍ୟସ୍ତରରେ ନୀତି ପ୍ରଣୟନ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଯଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ, କର୍ମନିଯୁକ୍ତି, ବୀମା, ସାର୍ବଜନୀନ ସୁବିଧା, ନ୍ୟାୟିକ ଓ ସମ୍ପତ୍ତି ଅଧିକାର ଭଳି କ୍ଷେତ୍ରରେ ସେମାନେ ଆଉ ଅବହେଳାର ଶିକାର ହେବେ ନାହିଁ। ସରକାରଙ୍କର ସିଧାସଳଖ ହସ୍ତକ୍ଷେପ ରହିବ। ସେମାନଙ୍କ ପ୍ରତି ଅନ୍ୟାୟ କରୁଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା, ୩ ମାସରୁ ୨ ବର୍ଷ ଜେଲ୍ ଦଣ୍ଡ ପ୍ରାବଧାନ ରହିଛି। ସେମାନଙ୍କ ଗୋପନୀୟତା ରକ୍ଷା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି। ଏସବୁ ସୁନିଶ୍ଚିତ କରିବା ଲାଗି ରାଜ୍ୟସ୍ତରରେ ଲୋକପାଳ ଗଠନ ହେବାର ଆବଶ୍ୟକତା ରହିଛି। କିନ୍ତୁ ଆଜି ଯାଏ ଓଡ଼ିଶାରେ ଏହା ଲାଗୁ ହୋଇପାରି ନାହିଁ। ଲୋକପାଳଙ୍କ ଆଦେଶର ଅବମାନନା ପାଇଁ ମଧ୍ୟ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସମ୍ପ୍ରତି ଲୋକପାଳ ଭାବେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ପୂର୍ବପରି ସେହି ଦାୟିତ୍ବରେ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଉତ୍ତର ଜୋନ୍ (ବାଲେଶ୍ବର), ଦକ୍ଷିଣ ଜୋନ୍ (ଗଞ୍ଜାମ), ଦକ୍ଷିଣ ଜୋନ୍ (କୋରାପୁଟ), ପଶ୍ଚିମ ଜୋନ୍ (ସମ୍ବଲପୁର), କେନ୍ଦ୍ରୀୟ ଜୋନ୍ (ଖୋର୍ଦ୍ଧା) ଗଠନ କରି ସବୁ ଜିଲାକୁ ସେଥିରେ ସାମିଲ କରାଯାଇଛି। ରାଜ୍ୟ ସରକାର ଚାହିଁଲେ ସିଡିଏମଓ/ପିଏଚ୍ଓଙ୍କୁ ଜୋନ୍ ଲୋକପାଳ ଭାବେ ନିଯୁକ୍ତ କରିପାରିବେ।
ଏକାଧିକ ଯୋଜନା ସତ୍ତ୍ବେ ରାଜ୍ୟରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଯୁବଗୋଷ୍ଠୀ ବହୁ ସମସ୍ୟାରେ ପଡ଼ୁଛନ୍ତି। ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରାୟ ୬୪ ହଜାର ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୦୨୧ରେ ବାର୍ଷିକ ସଂକ୍ରମିତଙ୍କ ସଂଖ୍ୟା ୨୩୪୧ ଥିବା ବେଳେ ୨୦୨୩-୨୪ରେ ଏହି ସଂଖ୍ୟା ସାଢ଼େ ତିନି ହଜାରରେ ପହଞ୍ଚି ଯାଇଥିଲା। ବଡ଼ କଥା ହେଲା ପ୍ରାୟ ୧୨ ହଜାର ସଂକ୍ରମିତଙ୍କର ଆଉ ପତ୍ତା ମିଳୁ ନାହିଁ। ପରିସ୍ଥିତିର ମୁକାବିଲା ପାଇଁ ସରକାର ୧୬୭ଟି ପରାମର୍ଶ କେନ୍ଦ୍ର ଖୋଲିଥିବା ବେଳେ ୧୨୩୨ଟି ପରୀକ୍ଷା କେନ୍ଦ୍ର ଉପଲବ୍ଧ କରାଯାଇଛି।
ଏଚ୍ଆଇଭି ସଂକ୍ରମିତଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ସ୍ବାସ୍ଥ୍ୟ ବିଭାଗ; ରାଜ୍ୟର ୫ ଜୋନ୍ରେ ଗଠନ ହେବ ଲୋକପାଳ
Popular Categories



