ତ୍ରିପୁରାରେ ଓଡ଼ିଆ ଯବାନ ଶହୀଦ

ଭବାନୀପାଟଣା: ତ୍ରିପୁରାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍‌)ରେ ତ୍ରିପୁରା ସୀମାରେ ନିୟୋଜିତ ଥିବା ଓଡ଼ିଆ ଯବାନ ଈଶ୍ବର ଚନ୍ଦ୍ର ଦୋରା ଶହୀଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଈଶ୍ବର ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଛି।

କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର ଧୀରେନ୍ଦ୍ର ଦୋରାଙ୍କ ସାନ ପୁଅ ଈଶ୍ୱର ଚନ୍ଦ୍ର ଦୋରା(୩୫) ୨୦୦୯ରେ ବିଏସଏଫରେ ଯବାନ ଭାବେ ନିଯୁକ୍ତି ପାଇଥିଲେ। ବର୍ତମାନ ସେ ତ୍ରିପୁରାରେ କାର୍ଯ୍ୟରତ ଥିଲେ। ସେ ଗୁରୁବାର ମଧ୍ୟରାତ୍ର ପର୍ଯ୍ୟନ୍ତ ତାଙ୍କ ପତ୍ନୀ ଭାରତୀ ଦୋରାଙ୍କ ସହିତ କଥା ହୋଇଥିଲେ। ସେ ଯେଉଁ ଅଞ୍ଚଳକୁ ଡ୍ୟୁଟିରେ ଯାଇଥିଲେ ସେଠାରେ ମୋବାଇଲ ଲାଗିବ ନାହିଁ, ତେଣୁ ଡ୍ୟୁଟି ସାରି ଫେରିବା ପରେ କଥା ହେବି ବୋଲି କହିଥିଲେ। ମାଆ, ବାପ ଓ ଏକ ମାତ୍ର ଝିଅ ଗୁଡିର ଯତ୍ନ ନେବା ପାଇଁ ଈଶ୍ୱର ତାଙ୍କ ପତ୍ନୀ ଭାରତୀଙ୍କୁ କହିଥିଲେ। ଗୁରୁବାର ରାତିରେ ସେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଖବର ଶୁକ୍ରବାର ଦିନ ୧୦ରେ ଆସିବାପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମର ଶରୀରକୁ ନିଜ ଜନ୍ମମାଟି ବେଲଖଣ୍ଡିକୁ ଅଣାଯାଉଥିବା ସୂଚନା ମଲିଛି ।

Comments are closed.