ଭେଙ୍କଟରାମ ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ

କଟକ: ବିହାର ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ତଥା ଅଫ୍‌ସ୍ପିନର ଭି. ଭେଙ୍କଟରାମ ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଛି। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ଥିବା ଭେଙ୍କଟରାମ ବିସିସିଆଇ ସ୍ବୀକୃତ ଜଣେ ଲେଭଲ୍‌-୩ କ୍ରିକେଟ୍‌ ପ୍ରଶିକ୍ଷକ। ୬୭ ବର୍ଷ ବୟସ୍କ ଭି. ଭେଙ୍କଟରାମ ୧୯୭୩-୭୪ରୁ ୧୯୯୧-୯୨ ପର୍ଯ୍ୟନ୍ତ ବିହାର ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ମୋଟ ୬୮ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ଭେଙ୍କଟରାମ ୨୧୭ଟି ୱିକେଟ ନେଇଛନ୍ତି। ସେ ଗୋଟିଏ ଇନିଂସରେ ୧୩ ଥର ୫ଟି ୱିକେଟ ନେଇଛନ୍ତି। ପୁଣି ୫ଟି ଲିଷ୍ଟ-ଏ ମ୍ୟାଚ୍‌ରୁ ଭେଙ୍କଟରାମ ୫ଟି ୱିକେଟ ନେଇଛନ୍ତି। ଉପଯୋଗୀ ବ୍ୟାଟ୍‌ସମ୍ୟାନ ଭାବେ ଭେଙ୍କଟରାମ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ ସହ ୧୨୮୨ ରନ୍‌ କରିଛନ୍ତି। ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ପ୍ରଶିକ୍ଷକ ଭାବେ ମଧ୍ୟ ୫ ବର୍ଷ ଧରି ଭେଙ୍କଟରାମ କାମ କରିଛନ୍ତି। ସେ ୨ ଥର ଝାଡ଼ଖଣ୍ଡ ରଣଜୀ ଟ୍ରଫି ଦଳର ପ୍ରଶିକ୍ଷକ ଥିବା ବେଳେ ତ୍ରିପୁରା ଓ ଆସାମ ରଣଜୀ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାମ କରିଛନ୍ତି। ସେ ଉତ୍ତରାଖଣ୍ଡ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଥିଲେ। ଏହାସହ ଆସାମ କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦେଶକ ଭାବେ ମଧ୍ୟ ଭେଙ୍କଟରାମ କାମ କରିଛନ୍ତି। ଏବେ ଭେଙ୍କଟରାମ ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦେଶକ ଭାବେ ଓଡ଼ିଶା କ୍ରିକେଟ୍‌ର ଉନ୍ନତି ପାଇଁ କାର୍ଯ୍ୟକରିବା ସହ ବିଭିନ୍ନ ଜିଲାରେ ଥିବା କ୍ରିକେଟ୍‌ ଏକାଡେମୀରେ ପ୍ରଶିକ୍ଷଣ ଦେବା ସହ ପ୍ରତିଭାଙ୍କୁ ଶାଣିତ କରିବେ। ଭେଙ୍କଟରାମଙ୍କ ନୂଆ ନିଯୁକ୍ତି ପାଇଁ ତାଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।

Comments are closed.