ନୂଆପଡା,: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୁଧିକୋମନା ଗ୍ରାମରେ ରହିଛି ପ୍ରାଚୀନ ପାତାଳେଶ୍ୱର ମନ୍ଦିର ା ଏହା ଭାରତୀୟ ଭାସ୍କର୍ଯ୍ୟର ଏକ ଅନୁପମ ନିଦର୍ଶନ ା ସପ୍ତମ/ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରଟି ଏବେ ଅବହେଳିତ ହୋଇ ପଡ଼ିରହିଛି ା ଅତୀତରେ ମହାନଦୀ ଅବବାହିକାରେ ଯେଉଁ ଅଳ୍ପ କେତୋଟି ଇଟା ନିର୍ମିତ ବିରଳ ମନ୍ଦିର ନିର୍ମାଣ କରାଯାଇଥିଲା ପାତାଳେଶ୍ୱର ସେଥିରୁ ଗୋଟିଏ। ଓଡ଼ିଶାର ପ୍ରାଚୀନ ନିର୍ମାଣ କଳା ଓ ମନ୍ଦିର ନିର୍ମାଣ ଶୈଳୀରେ ଇଟା ନିର୍ମିତ ମନ୍ଦର ଏକ ବ୍ୟତିକ୍ରମ, ତେଣୁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି। ହେଲେ ଏହାର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଯଥୋଚିତ ଉଦ୍ୟମ ହେଉ ନଥିବା ଅଭିଯୋଗ ହେଉଛି।
ସପ୍ତମ/ଅଷ୍ଟମ ଶତାବ୍ଦୀରେ ଅବିଭକ୍ତ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଓଡ଼ିଶାରେ ମନ୍ଦିର ନିର୍ମାଣ କ୍ଷେତ୍ରରେ ଏକ ସ୍ବତନ୍ତ୍ର ତଥା ଅଭିନବ ଶୈଳୀର ପ୍ରଚଳନ ହୋଇଥିଲା। ଏହା ବିକଶିତ ହୋଇଥିଲା ମହାନଦୀ ଅବବାହିକାରେ। ସାଧାରଣତଃ ମନ୍ଦିର ନିର୍ମାଣରେ ଭାରତୀୟ ଶିଳ୍ପୀମାନେ ପଥର ବ୍ୟବହାର କରୁଥିବା ବେଳେ ଏଠାରେ ଶିଳ୍ପୀମାନେ ପରମ୍ପରା ବାହାରକୁ ଯାଇ ବିଭିନ୍ନ ଆକାର ଓ ପ୍ରକାରର ଇଟା ବ୍ୟବହାର କରିଥିଲେ। ମନ୍ଦିର ନିର୍ମାଣ କ୍ଷେତ୍ରରେ ଏହା ଏକ ବିରଳ ଶୈଳୀ। ଏହି ଶୈଳୀରେ ନିର୍ମିତ ମାତ୍ର ୪ଟି ମନ୍ଦିର ଭାରତରେ ଦେଖିବାକୁ ମିଳିଥାଏ।ସେଥି ମଧ୍ୟରୁ ନୂଆପଡ଼ାର ପାତାଳେଶ୍ୱର ମନ୍ଦିର ଅନ୍ୟତମ ା ଅନ୍ୟଗୁଡ଼ିକ ହେଲା ବଲାଙ୍ଗିର ଜିଲା ରାଣୀପୁର ଝରିଆଲର ପ୍ରସିଦ୍ଧ ଇନ୍ଦ୍ରଲାଠ ମନ୍ଦିର ଅନ୍ୟ ଦୁଇଟି ରହିଛି ଅବିଭକ୍ତ ମଧ୍ୟପ୍ରଦେଶର ଧୋବନୀ ଓ ଆଦଭରରେ।
ପାତାଳେଶ୍ୱର ମନ୍ଦିର ଗାତ୍ରରେ ଖୋଦିତ ପ୍ରାଚୀନ ପାଲିଲିପି ଆଧାରରେ ଗବେଷକମାନେ ଏହା ସପ୍ତମରୁ ଅଷ୍ଟମ/ଶତାବ୍ଦୀର ଶେଷ ଭାଗରେ ନିର୍ମିତ ଏବଂ ଏହାର ନିର୍ମାତା କୌଣସି ସୋମବଂଶୀ ରାଜା ବୋଲି ଅନୁମାନ କରନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ରାଜା କେବେ ନିର୍ମାଣ କରିଥିଲେ ତା’ର ସ୍ପଷ୍ଟ ବିବରଣୀ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ ପୂର୍ବେ ମନ୍ଦିର ପରିସରରେ ୪ସ୍ତମ୍ଭ ବିଶିଷ୍ଟ ଏକ ପ୍ରସ୍ତର ନିର୍ମିତ ମୁଖଶାଳା ଥିଲା। ଏହା ଭାଙ୍ଗିଯିବାରୁ ଗ୍ରାମବାସୀଙ୍କ ସହଯୋଗରେ ଖଡ଼ିଆଳର ରାଜା ୧୯୪୨ରେ ଇଟାରେ ମୁଖଶାଳା ନିର୍ମାଣ କରି ଖପର ଛାଉଣି କରିଥିଲେ। ୧୯୭୪ରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଉକ୍ତ ଜୀର୍ଣ୍ଣ ମୁଖଶାଳାକୁ ଭାଙ୍ଗିି ଦିଆଯାଇ ଥିଲା ଏବଂ ସେହି ସମୟରେ ମନ୍ଦିରର କିଛି ମରାମତି କାର୍ଯ୍ୟ କରାଯାଇଥିଲା। ୧୯୯୩ରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପଥର ନିର୍ମିତ ମୁଖଶାଳା ନିର୍ମାଣ କରାଯାଇଛି।ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅର୍ଥ ସହାୟତାରେ ଏହାର କିଛିଟା ରକ୍ଷଣାବେକ୍ଷଣ କରାଯାଇଥିଲା।

ମନ୍ଦିର ପୂଜକ ସମୀର କୁମାର ପାଢ଼ୀଙ୍କ କହିବା ଅନୁସାରେ ଏଠାରେ ପ୍ରତିଦିନ ସକାଳେ ଖେଚୁଡି ଭୋଗ, ସନ୍ଧ୍ୟାରେ ସାନ୍ଧ୍ୟ ଆଳତି ହୁଏ।ପ୍ରତିବର୍ଷ ଭାଦ୍ରବ ପୂର୍ଣ୍ଣିମାରେ ଭାଗବତ ପାଠ ଓ ମହାଯଜ୍ଞ ଅନୁଷ୍ଠିତ ହୁଏ।ସେହିପରି ଏକାଦଶୀ, ଶିବ ଚତୁର୍ଦ୍ଦଶୀ, ଶ୍ରୀରାମନବମୀ, ଜନ୍ମାଷ୍ଟମୀ, ନୃସିଂହ ଚତୁର୍ଦଶୀ, ରାଧାଷ୍ଟମୀ ଓ ସଂକ୍ରାନ୍ତିରେ ସ୍ବତନ୍ତ୍ର ପୂଜା ହୁଏ।
ପାତାଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡର ସମ୍ପାଦକ ପ୍ରଫୁଲ୍ଲ କୁମାର ହୋତା କହନ୍ତ, ‘ଏହି ମନ୍ଦିର ଉପରେ ଗବେଷଣା କରିବା ପାଇଁ ବିଭିନ୍ନ ସ୍ଥାନରୁ ବହୁ ଐତିହାସିକ, ଗବେଷକ ଏଠାକୁ ଆସୁଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟ, ରାଷ୍ଟ୍ରୀୟ ସେବିକା ସମିତିର ଅଖିଳ ଭାରତ କାର୍ଯ୍ୟବାହିକା ପ୍ରମିଳା ତାଲମେଢଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସମେତ ଦେଶ ଓ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ପରିତାପର ବିଷୟ ହେଲା ସେମାନଙ୍କ ରହିବା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗର କୌଣସି ବ୍ୟବସ୍ଥା ଏଠାରେ ନାହିଁ।ଏ ଦିଗରେ ସରକାର ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପର୍ଯ୍ୟଟନ ଦୃଷ୍ଟିରୁ ଏହାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ସେ ଦିଗରେ ପ୍ରୟାସ ତ ଦୂରର କଥା ଚିନ୍ତା ମଧ୍ୟ କରାନଯିବା ଦୁର୍ଭାଗ୍ୟଜନକ। ଏହାର ଆବଶ୍ୟକ ମରାମତି ଏବଂ ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଦିଆଯାଉ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି।
ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ଭବବାନ ଖୋରାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ‘ଐତିହାସିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଏହି ଣୈବପୀଠ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇସାରିଛି। ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏଠାରେ ଏକ ପାନ୍ଥିକା ନିର୍ମାଣ କରିବାକୁ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛୁ।



