www.samajalive.in
Wednesday, December 10, 2025
18.1 C
Bhubaneswar

ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ

ପୁରୀ : ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ। କୌଣସି ପରିସ୍ଥିତିରେ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ଭିତରେ ପୂରାଇ ଦିଆଯିବ ନାହିଁ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଡଃ ବଦ୍ରିନାଥ ପଟ୍ଟନାୟକ ଚେତାବନୀ ଦେଇଛି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ପରିଷଦ ପକ୍ଷରୁ ଶୁକ୍ରବାର ଦାବିପତ୍ର ପ୍ରଦାନ କରାଯାଇଛି। ସେବକଙ୍କ ବଂଶାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ କରାନଯିବାକୁ ବିଶ୍ୱହିନ୍ଦୁ ପରିଷଦ ମତ ଦେଇଛନ୍ତି। ଏହାଦ୍ୱାରା ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜାରେ ବାଧାସୃଷ୍ଟି ହେବାସହ ପ୍ରାୟ ୫ହଜାର ସେବକ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରସ୍ତାବକୁ ବିଏଚପି ବିରୋଧ କରିଛି। ତିରୁପତି ଏବଂ ଶିରିଡି ସାଇ ମନ୍ଦିର ସହ ଶ୍ରୀଜଗନ୍ନାଥ ମନ୍ଦିରକୁ ତୁଳନା କରାଯିବା ଉଚିତ ନୁହେଁ ବୋଲି କାର୍ଯ୍ୟକାରୀ ସଭାପତି କହିଛନ୍ତି। ସେ କହିଲେ ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥା କରାଗଲେ ବର୍ତ୍ତମାନ ପରି ମନଖୋଲା ଦର୍ଶନ ମିଳିବ ନାହିଁ। ଦୂରଦୂରାନ୍ତରୁ ଆସୁଥିବା ଜଗନ୍ନାଥପ୍ରେମୀ ଭକ୍ତମାନେ ଦର୍ଶନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ। ଶ୍ରୀମନ୍ଦିର ଭିତରେ ପର୍ଯ୍ୟାପ୍ତ ଜାଗା ରହିଥିବାରୁ ଏବଂ ପ୍ରବେଶ ଓ ପ୍ରସ୍ଥାନ ପାଇଁ ୪ଗୋଟି ଦ୍ୱାର ଥିବାରୁ ଧାଡିଦର୍ଶନ ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀମନ୍ଦିର ଭିତର ପରିବର୍ତ୍ତେ ବାହାରେ ଶୌଚାଳୟ ନିର୍ମାଣ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ସିଆରପିଏଫ୍‍ ଯବାନ ମୁତୟନ, ମନ୍ଦିର ଭିତରକୁ ମୋବାଇଲ ଫୋନ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ପାଇଁ ପରିଷଦ ଦାବି କରିଛି। ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଧାର୍ମିକ ମୁଖ୍ୟ ହୋଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟଭାବେ ଦାୟିତ୍ୱ ଦିଆଯିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ମାମଲାରେ ବିଶ୍ୱହିନ୍ଦୁ ପରିଷଦ ଖୁବ୍‍ଶୀଘ୍ର ପକ୍ଷଭୁକ୍ତ ହେବବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ କରି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଡାକ୍ତର ବସନ୍ତ କୁମାର ପତି ଏବଂ ଡଃ ଲକ୍ଷ୍ମୀକାନ୍ତ ମିଶ୍ର, ରାଷ୍ଟ୍ର ଉତ୍କର୍ଷ ସାହିତ୍ୟ ପରିଷଦର ଡଃ ଧିରେନ୍ଦ୍ର ନନ୍ଦ, ହିନ୍ଦୁ ଜାଗରଣ ପରିଷଦ ତରଫରୁ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ମହାବୋଧି ସୋସାଇଟିର ଡଃ ସୈରେନ୍ଦ୍ର ମହାପାତ୍ର ଆମିକସ୍‍ କ୍ୟୁରିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ ଦେଶର ଅନ୍ୟ ହିନ୍ଦୁ ମନ୍ଦିର ଗୁଡିକ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ତୁଳନା କରାଯାଇ ପାରିବ ନାହିଁ। ଶ୍ରୀମନ୍ଦିରରେ ୧୧୯ପ୍ରକାର ସେବା ରହିଛି। ହଜାରେ ବର୍ଷର ଶ୍ରୀଜଗନ୍ନାଥ ସଂସ୍କୃତି ଅକ୍ଷୁଣ୍ଣ ରଖି ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଡାକ୍ତର ପତି ପରାମର୍ଶ ଦେଇଛନ୍ତି। ସେ କହିଲେ ଶ୍ରୀଜଗନ୍ନାଥ ଓଡ଼ିଶାର ପରିଚୟ। ସେବକମାନେ ଶ୍ରୀଜଗନ୍ନାଥ ସଂସ୍କୃତି ବଞ୍ଚାଇ ରଖିଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ସେବାପୂଜା ସପକ୍ଷରେ ଡଃ ଜ୍ଞାନେନ୍ଦ୍ର ମତ ରଖିଛନ୍ତି। ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଆସିଲେ ଶ୍ରୀଜୀଉଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ପରାମର୍ଶକୁ ଶ୍ରୀମନ୍ଦିର ପରିଚାଳନାରେ ଗୁରୁତ୍ୱ ଦିଆଯିବା ପାଇଁ ସେ ଦାବି କରିଛନ୍ତି। ବିଶ୍ୱହିନ୍ଦୁ ପରିଷଦର ଡଃ ପ୍ରମୋଦ କୁମାର ଆଚାର୍ଯ୍ୟ, ଜିଲା ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ଦାଶ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories