ଆଠଗଡ: ଆଠଗଡର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ସବୁବେବେ ଅଣଛାତ୍ର ପ୍ରବେଶ କରି ନାନା ବିଶୃଙ୍ଖଳା ସୃଷ୍ଟି କରିବା ଦ୍ବାରା ଶୈକ୍ଷିକ ବାତାବରଣ କଳୁଷିତ ହେଉଛି । ବହୁ ସମୟରେ ଅଣଛାତ୍ରମାନେ ବିଭିନ୍ନ ପ୍ରକାରର ନିଶା ସେବନ କରିବା ସହ ଛାତ୍ରଙ୍କ ସହିତ ଗଣ୍ଡଗୋଳ କରିବା, ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅଣଛାତ୍ରଙ୍କୁ କଲେଜ ପରିସରରେ ପ୍ରବେଶ କରାଇ ନ ଦେବା ଦାବି କରି କଲେଜର ଛାତ୍ରଛାତ୍ରୀମାନେ ସୋମବାର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅଣଛାତ୍ରଙ୍କୁ କଲେଜ ପରିସରରେ ପ୍ରବେଶକୁ ବାରଣ କରିବା ଲାଗି ମୁଖ୍ୟ ଫାଟକରେ ସୁରକ୍ଷା କର୍ମୀ ନିୟୋଜିତ କରି ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଦେଖି ଛଡାଯିବାକୁ ସେମାନେ ଦାବି କରିଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷ ଡ. ଲୋକନାଥ ସାହୁଙ୍କୁ ଏ ସମ୍ପର୍କିତ ସ୍ମାରକପତ୍ର ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହା ନକଲ ସେମାନେ ଉପଖଣ୍ଡ ପୁଲିସ ଅଧିକାରୀ ଓ ଆଠଗଡ ଆଇଆଇସିଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।
ଏହାଛଡା ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ପରିସରରେ କେତେକ ଅସାମାଜିକ ତତ୍ତ୍ବ ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଆଦି ନିଶାଦ୍ରବ୍ୟ ସେବନ କରୁଥିବା ଦୀର୍ଘ ଦିନ ହେବ ଅଭିଯୋଗ ହୋଇଆସୁଛି। କଲେଜ ପରିସରରେ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନେ ଏଥିପାଇଁ ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେଣୁ ଆଠଗଡ ପୁଲିସ ନିୟମିତ ସନ୍ଧ୍ୟାରୁ ରାତି ୧୧ଟା ମଧ୍ୟରେ କଲେଜ ପରିସରରେ ପାଟ୍ରୋଲିଂ କରିବା ସହ ନିଶାସେବନ କରୁଥିବା ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଠଗଡର ବୁଦ୍ଧିଜୀବୀ ମହଲରେ ମଧ୍ୟ ଦାବି ହେଉଛି।



