ଫୁଲବାଣୀ: ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବାରୁ ରାଜସ୍ଵ ଅମଲା ସଂଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ ଛୁଟିରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର କନ୍ଧମାଳ ଜିଲ୍ଲାର ସମସ୍ତ ୨୬୮ ରାଜସ୍ୱ ଅମଲା ଛୁଟିରେ ରହିବାରୁ ବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତ ୮ ତାରିଖ ଦିନ ରାଜସ୍ୱ ଅମଲାମାନେ ନିଜ ନିଜ ଅଧିକାରୀଙ୍କୁ ସମୂହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନ୍ଧମାଳର ଜିଲା ସଭାପତି ଗଣେଶ ନାୟକ, ସଂପାଦକ ସୀମାଞ୍ଚଳ ପଣ୍ଡା ପ୍ରକାଶ କରିଛନ୍ତି। ଦାବି ପୂରଣ ପାଇଁ ଆଜି ଫୁଲବାଣୀ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଲକରେ କାର୍ଯ୍ୟରତ ଅମଲାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରିହବ ବୋଲି ଚେତାବନୀ ଦେଇଛନ୍ତି।
ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଉପ-ସଭାପତି ଅମୀର ଦିଗାଲ, ରୁପାମ୍ବିକା ତ୍ରିପାଠୀ, କୋଷାଧ୍ୟକ୍ଷ ସୁନିତ ଦଳବେହେରା, ଉପଦେଷ୍ଟା ବିନୋଦ ଚନ୍ଦ୍ର ମହାନ୍ତି, ଆଶିଷ କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ଏହାର ନେତୃତ୍ୱ ନେଇଛନ୍ତି। ଆନ୍ଦୋଳନ ଫଳରେ ସରକାରୀ ସେବା ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ମହକୁମା ଓ ବାଲିଗୁଡା ସଦର ମହକୁମା ଦୁଇଟି ଧାରଣା ସ୍ଥଳରେ ଜିଲ୍ଲାର ପ୍ରାୟ ୨୬୮ ଜଣ ରାଜସ୍ବ ଅମଲା ସାମିଲ ହୋଇଛନ୍ତି।



