ଢେଙ୍କାନାଳ ସଦର: ଜିଲାପାଳଙ୍କ ବଦଳି ପରେ ଯାଜପୁରରେ ପଥର ମାଫିଆ ପୁଣି ସକ୍ରିୟ ହେଉଥିବା ଜଣାପଡିଛି। ଗଁଦିଆ ତହସିଲ ଅଞ୍ଚଳରେ ଗଢି ଉଠିଥିବା କ୍ରସରଗୁଡିକ ଚାଲିବା ପାଇଁ ଖଣି ନଥିବାରୁ ବେଆଇନ ଭାବେ ନିଶ୍ଚିନ୍ତା ପାହାଡ଼ ଲୁଟ କରାଯାଉଛି। ଏ ସମ୍ପର୍କିତ ମାମଲା କୋଲକାତାସ୍ଥିତ ଜାତୀୟ ସବୁଜ ପ୍ରାଧିକରଣରେ ବିଚାରଧୀନ ଥିବା ବେଳେ ଆସନ୍ତା ୨୮ ତାରିଖରେ ପରବର୍ତ୍ତି ଶୁଣାଣି ହେବ ବୋଲି ଜଣାପଡିଛି।
ଗତବର୍ଷ ଡିସେମ୍ବର ୩୦ ତାରିଖ ରାତିରେ ପୂର୍ବତନ ଜିଲାପାଳଙ୍କ ନିର୍ଦ୍ଦେଶରେ ନିହଲପ୍ରସାଦ ନିଶ୍ଚିନ୍ତା ଓ ରାୟଗଡ଼ା ପାହାଡ ଉପରେ ଏକ ବଡ ଧରଣର ଚଢଉ କରାଯାଇ ପ୍ରାୟ ୨୧ଟି ଭାରିଯାନ ଜବତ କରାଯାଇଥିଲା। ସେହିଦିନଠାରୁ ଯାଜପୁର ଜିଲାର ପଥର ମାଫିଆଙ୍କ ଚୋରା କାରବାର ପ୍ରାୟ ବନ୍ଦ ରହିଥିଲା। ମାଫିଆଙ୍କଠାରୁ ଟନ୍ ପିଛା ୫୦ରୁ ୧୦୦ ଟଙ୍କା ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ର ବାରଣ ଓ ଜିଲା ପ୍ରଶାସନର ୧୬୩ ଧାରା ଲାଗୁ ପରେ ମଧ୍ୟ ସ୍ଥାନୀୟ ପୁଲିସ ପ୍ରଶାସନ ଏହି ଚୋରି ରୋକିବାରେ ବିଫଳ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିନ୍ତା ପାହାଡ ନିକଟରେ ଥିବା କିଛି ଷ୍ଟୋନ୍ କ୍ରସରଗୁଡ଼ିକ ଏହି କଳାପଥର ଚୋରିରେ ସାମିଲ ହୋଇଥିଲେ। ସେଥିରେ ନିହଲପ୍ରସାଦ ଥାନା ଓ ଖଣି ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହାୟତା ରହିଥିବା ଚର୍ଚ୍ଚା ହେଉଥିଲା।
ତେବେ ନୂତନ ଜିଲାପାଳଙ୍କ ଯୋଗଦାନ ପରେ କିଛି ରାଜନୈତିକ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ କିଛିଦିନ ହେବ ମାଫିଆମାନେ ପୁଣି ଚୋରା କାରବାର କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଇତି ମଧ୍ୟରେ ଜାତୀୟ ସବୁଜ ପ୍ରାଧିକରଣ କିଛି କ୍ରସର କମ୍ପାନୀଙ୍କୁ ନୋଟିସ କରିଛନ୍ତି। ରାଜ୍ୟ ସରକାରଙ୍କ ଖଣି ବିଭାଗକୁ ଗତ ୨୪.୧୦.୨୦୨୪ ତାରିଖରୁ ଜବାବ ଦାଖଲ ପାଇଁ ଗ୍ରୀନ ଟ୍ରିବ୍ୟୁନାଲ ନୋଟିସ କରିଥିଲେ ବି ରାଜ୍ୟ ସରକାରଙ୍କ ଅତିରିକ୍ତ କାଉନସେଲ ଗତ ୧୬.୦୭.୨୦୨୪ ସୁଦ୍ଧା ସତ୍ୟପାଠ ଦାଖଲ ନ କରିବାରୁ ଟ୍ରୀବ୍ୟୁନାଲ୍ ୧ ହଜାର ଟଙ୍କାର ଜୋରିମାନା କରି ଆସନ୍ତା ୨୮.୦୮.୨୦୨୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଶ୍ଚିନ୍ତା ପାହାଡର ବ୍ୟାପକ କଳାପଥର ଚୋରି ପଛରେ ପାହାଡର ଦୁଇ କିଲୋମିଟର ପରିଧିରେ ଥିବା ପ୍ରାୟ ୬/୭ଟି କ୍ରସର କମ୍ପାନୀ ସ୍ଥାନୀୟ ପୁଲିସ ପ୍ରଶାସନ ଓ ଖଣି କର୍ମଚାରୀଙ୍କୁ ହାତବାରିଶି କରି ଚୋରି କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହି କ୍ରସର କମ୍ପାନୀ ଗୁଡ଼ିକର କଞ୍ଚାମାଲ ପାଇଁ ନିଜସ୍ବ କୌଣସି ଉତ୍ସ ନ ଥିବାରୁ କମ୍ପାନୀ ଗୁଡ଼ିକର ଅନୁମତି ପ୍ରତ୍ୟାହାର ପାଇଁ ଢେ଼ଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବାରମ୍ବାର ସରକାରଙ୍କ ନିକଟରେ ଅନୁରୋଧ କରି ଆସୁଛନ୍ତି।



