ସମାଜ ଡିଜିଟାଲ ଡେସ୍କ: ୟେମେନ ଜେଲ୍ରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୁକ୍ତ କରାଯିବ। ଖ୍ରୀଷ୍ଟିଆନ ଧର୍ମପ୍ରଚାରକ କେ.ଏ. ପଲ୍ ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ କେ.ଏ. ପଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ତଥା ଗ୍ଲୋବାଲ ପିସ୍ ଇନିସିଏଟିଭ୍ର ପ୍ରତିଷ୍ଠାତା ଡା. କେ.ଏ. ପଲ୍ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ୟେମେନର ରାଜଧାନୀ ସନାର ଏକ ଜେଲରେ ବନ୍ଦୀ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ବାତିଲ କରିଦିଆଯାଇଛି। ଡା. ପଲ୍ ଏକ ଭିଡିଓ ବାର୍ତ୍ତାରେ ୟେମେନର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଡା. କେ.ଏ. ପଲ୍ କହିଛନ୍ତି ଯେ, ‘‘ୟେମେନର ନେତାମାନେ ଗତ ୧୦ ଦିନ ଧରି ଦିନରାତି କାମ କରୁଥିଲେ। ଡା. ପଲ କହିଛନ୍ତି, ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ କରିବାରେ ସାହାଯ୍ୟ କରିଥିବା ସମସ୍ତ ନେତାମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଭଗବାନଙ୍କ ଆଶୀର୍ବାଦରୁ ନିମିଷା ପ୍ରିୟା ଖୁବଶୀଘ୍ର ମୁକ୍ତ ହେବେ ଏବଂ ତା’ପରେ ସେ ଭାରତ ଫେରି ଆସିବେ। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି, ଯିଏ ନିମିଷା ପ୍ରିୟାଙ୍କୁ ନେବା ପାଇଁ କୂଟନୀତିଜ୍ଞ ପଠାଉଛନ୍ତି।’’
ଗତ ସପ୍ତାହରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏକ ବୟାନରେ କହିଥିଲା ଯେ, ନିମିଷା ପ୍ରିୟାଙ୍କୁ ବଞ୍ଚାଇବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି। ସରକାର ନିମିଷା ପ୍ରିୟାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଜଣେ ଓକିଲଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି, ଯିଏ ୟେମେନର ଆଇନ ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏଥିସହ ଶରିଆ ଆଇନ ଅନୁଯାୟୀ ନିମିଷାଙ୍କୁ କ୍ଷମା ମିଳିବା ପାଇଁ କରାଯାଉଥିବା ପ୍ରୟାସ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ବୟାନ ପୂର୍ବରୁ କେରଳର ଗ୍ରାଣ୍ଡ ମୁଫ୍ତି ଶେଖ୍ ଅବୁବକର ଅହମ୍ମଦ କାନ୍ତାପୁରମ୍ କହିଥିଲେ ଯେ, ସେ ୟେମେନର ମୁସଲିମ ଧର୍ମଗୁରୁମାନଙ୍କ ସହ କଥା ହୋଇଛନ୍ତି ଏବଂ ନିମିଷା ପ୍ରିୟାଙ୍କ ମୁକ୍ତି ପାଇଁ ସେମାନଙ୍କୁ ନିବେଦନ କରିଛନ୍ତି। ଶେଖ୍ ଅବୁବକର ଦାବିକରି କହିଥିଲେ ଯେ, ସେ କଥାହେବା ପରେ ହିଁ ଜୁଲାଇ ୧୬ରେ ନିମିଷାଙ୍କୁ ହେବାକୁ ଥିବା ଫାଶୀ ଦଣ୍ଡ ସ୍ଥଗିତ ରଖାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଷା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହାପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାରର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। ନର୍ସଙ୍କ ମୁକ୍ତି ତଲାଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନ ଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।



