ନୀଳଗିରି: ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ମଙ୍ଗ ଧରିଥିବା ଯୁବନେତା ଆଶିଷ ପଟ୍ଟନାୟକ ଏବେ କେଉଁଠି ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଆଶିଷ ପଟ୍ଟନାୟକ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କର୍ତ୍ତୃପକ୍ଷଭାବେ କାର୍ୟ୍ୟ କରନ୍ତି। ସେ ଶନିବାର ଏବଂ ରବିବାର ନୀଳଗିରି ଆସି ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହୋଇଥାନ୍ତି। ଏପରିକି କଟକ ଏବଂ ଭୁବନେଶ୍ୱରରେ ନୀଳଗିରି ଅଞ୍ଚଳର ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ। କଂଗ୍ରେସ ରାଜନୀତିରେ ସେ ଜଡ଼ିତ ରହି ନୀଳଗିରି ନିର୍ବାଚନମଣ୍ଡଳୀର ଯୁବନେତୃତ୍ୱକୁ ସେ ବେଶ ସୁଦୃଢ଼ କରି ପାରିଥିଲେ।
କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ଅବସରରେ ସ୍ଥାନୀୟ ନେତୃବୃନ୍ଦ ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାରରେ ଯାଉଥିବା ସମୟରେ ବହୁ ଲୋକ ଆଶିଷଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ନୀଳଗିରିରେ କେବଳ କଂଗ୍ରେସ ଦଳ ହିଁ ରାଜୁତି କରୁଥିଲା। ଏଠାକାର ଅର୍ଦ୍ଧେକ ଭୋଟର କଂଗ୍ରେସ ସପକ୍ଷରେ ଥିଲେ। କାଳକ୍ରମେ ନେତୃତ୍ୱ ଅଭାବ ତଥା ଗୋଷ୍ଠୀକନ୍ଦଳ ଯୋଗୁ ବହୁ ଭୋଟର ଓ ନେତା ଦଳ ଛାଡ଼ି ବିଜେପି ଓ ବିଜେଡିରେ ସାମିଲ ହୋଇ ଯାଇଛନ୍ତି। ତୃଣମୂଳଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସ୍ତରରେ ସମ୍ପ୍ରତି କଂଗ୍ରେସ ଦଳ ନିଜର ପତିଆରା ବନାଇ ପାରୁନଥିବା ଦେଖିବାକୁ ମିଳୁଛି। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଆଶିଷ କିନ୍ତୁ ଅନ୍ୟ କୌଣସି ଦଳରେ ପ୍ରଭାବିତ ନହୋଇ ସମ୍ପ୍ରତି ସେ କଂଗ୍ରେସରେ ରହିଛନ୍ତି। କିନ୍ତୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ତାଙ୍କର ଭୂମିକା ତଥା ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ବହୁ ଯୁବ କଂଗ୍ରେସ ନେତା ମତପ୍ରକାଶ କରିଛନ୍ତି।



