www.samajalive.in
Monday, December 8, 2025
27.1 C
Bhubaneswar

ଆଗାମୀ ୧୦ଦିନ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ରାଜ୍ୟରେ ଏବେ କରୋନା ମହାମାରୀ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଆଗାମୀ ୧୦ଦିନ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ଗୁରୁବାର ଗୀତଗୋବିନ୍ଦ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଖୁବ୍‌ଶୀଘ୍ର କିଭଳି ସଂକ୍ରମିତକୁ ଠାବ କରାଯିବ ତାହା ହିଁ ସରକାରଙ୍କ ଲକ୍ଷ୍ୟ ରହିଛି। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା କେବଳ ବାହାରେ ମାନିଲେ ଚଳିବ ନାହିଁ; ଘର ଭିତରେ ମଧ୍ୟ ଏହାକୁ ପାଳନ କରିବା ଉଚିତ୍। ଘରେ ଥିବା ଛୋଟ ଶିଶୁ କିମ୍ବା ବୟସ୍କଙ୍କଠାରୁ ଦୂରେଇ ରହିବା ଦରକାର। ବୟସ୍କଙ୍କଠାରେ କରୋନା ସଂକ୍ରମଣ ହେଲେ ବିପଦ ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ କୋଭିଡ-୧୯ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତି ଚାଲିଛି। ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟ ସାରା କରୋନା ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ହୋଇଯିବ। ଓଡ଼ିଶାରେ ଯେତେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଏବାବଦରେ ଯାହା ଅର୍ଥ ଖର୍ଚ୍ଚ ହେବ ତାକୁ ସରକାର ବହନ କରିବେ। ଏବେ ନମୁନା ଟେଷ୍ଟ ଦୈନିକ ୧୦୦ରୁ ୧୩୦୦ରେ ପହଞ୍ଚିଲାଣି। ଆଗାମୀ ଦିନରେ ଏହାକୁ ଆଉ ଅଧିକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

- Advertisement -

ତେବେ ଯେଉଁ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ସଂପୃକ୍ତ ଷ୍ଟାଫଙ୍କୁ ୧୪ଦିନିଆ ପାଳିକରି ଚିକିତ୍ସା କରାଯାଉଛି। ଏହି ସମୟରେ ସମସ୍ତ ସଂକ୍ରମିତଙ୍କୁ କିଭଳି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ ତାହା ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ରାଜ୍ୟରେ ରାୟଗଡ଼ା, କେନ୍ଦ୍ରାପଡ଼ା ଓ ବୌଦ୍ଧ ପ୍ରଭୃତି ଜିଲାରେ କୋଭିଡ଼-୧୯ ସ୍ବତନ୍ତ୍ର ଶଯ୍ୟା ସମ୍ପର୍କରେ ଶ୍ରୀ ମହାପାତ୍ର ଦର୍ଶାଇଥିଲେ।

ଏହି ଅବସରରେ ରାଜ୍ୟ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ଯେ ଲକ୍‌ଡାଉନ୍‌ ପିରିୟଡ଼ରେ ମହିଳା ହିଂସା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଏହାକୁ ରାଜ୍ୟ ସରକାର ଆଦୌ ବରଦାସ୍ତ କରିବେ ନାହିଁ। ଏହାକୁ ଦୃ​‌ଷ୍ଟିରେ ରଖି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ନିଃଶୁଳ୍କ ମୋ-ନମ୍ବର -୭୨୦୫୦୦୬୦୩୯ ଜାରି କରାଯାଇଛି। ଯଦି କେହି ମହିଳା ଘରୋଇ ହିଂସାର ସମ୍ମୁଖୀନ ହେବେ, ତେବେ ଏହି ନମ୍ବରରେ ଯୋଗାଯୋଗ କରାଯିବାକୁ କୁହାଯାଇଛି। ଇତିମଧ୍ୟରେ ରାଜ୍ୟରେ ୫୩୩୮ଟି ଗ୍ରାମପଞ୍ଚାୟତରେ ୩ଲକ୍ଷ ୩୪ହଜାର ୪୨୫ ଜଣ ନିରାଶ୍ରୟ ଓ ଅସହାୟଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ଏହାବାଦ୍ ବାହାର ରାଜ୍ୟର ୭୭ହଜାର ଶ୍ରମଜୀବୀଙ୍କୁ ସମସ୍ତ ପ୍ରକାର ଖାଦ୍ୟପେୟ ଓ ଔଷଧପତ୍ର ଯୋଗାଇ ଦିଆଯାଇଛି।

ସେ କହିଥିଲେ ଯେ ଆଜି ସୁଦ୍ଧା ବିଶ୍ବରେ ୨ଲକ୍ଷ ୮୯ହଜାର ୨୩୭ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୩୪ହଜାର ୭୮୦ଜଣଙ୍କ ମୃତ୍ୟୁ ହେଲାଣି। ଭାରତରେ ୧୧ହଜାର ୪୩୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୪ଜଣ ମୃତ୍ୟୁ ହୋଇଛନ୍ତି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଥିବାବେଳେ ୧୯ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଅବସରରେ ମନସ୍ତତ୍ବବିତ୍ ଡା. ଅମ୍ବିତ ପାଟ୍ଟଯୋଶୀ ଦେଇଥିବା ୧୨ଟି ପରାମର୍ଶ ସମ୍ପର୍କରେ ଶ୍ରୀ ବାଗଚୀ କହିଥିଲେ। ପରିସ୍ଥିତିକୁ ଗ୍ରହଣ କରିବାକୁ ପଡିବ, ପାରିପାର୍ଶ୍ବିକ ଲୋକଙ୍କ ଭିତରେ ମନୋମାଳିନ୍ୟ ନକରି ଏକାଠି ହେବା, ଘର ଭିତରେ ନିର୍ଦିଷ୍ଟ ସମୟ ଭିତରେ ଏପଟ ସେପଟ ହୋଇ କାର୍ୟ୍ୟ କରିବା, ମିଥ୍ୟା ଆଶ୍ବାସନାକୁ ବିଶ୍ବାସ ନକରିବା, ସ୍ବାସ୍ଥ୍ୟସେବା ନିୟୋଜିତ ସମସ୍ତଙ୍କୁ ସମ୍ମାନ ଦେବାକୁ ସେ କହିଥିଲେ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories