ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆ, ଝିଅ ଓ ଜ୍ୱାଇଁଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି ଅହମଦାବାଦରେ ପହଞ୍ଚିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨୨ କିଲୋମିଟର ରୋଡ଼ ଶୋ କରି ନିଜ ପତ୍ନୀଙ୍କ ସହ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଆଶ୍ରମରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ ଗାନ୍ଧିଜୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଟ୍ରମ୍ପ ଆଶ୍ରମ ପରମ୍ପରା ଅନୁଯାୟୀ, ପରିଦର୍ଶକ ପୁସ୍ତିକା (ଭିଜିଟର୍ ବୁକ୍)ରେ ନିଜ ନିଆରା ବାର୍ତ୍ତା ଲେଖିଥିଲେ। ନିଜ ବାର୍ତ୍ତାରେ ଟ୍ରମ୍ପ ଲେଖିଥିଲେ, ‘ମୋ ଉତ୍ତମ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏହି ସୁନ୍ଦର ପରିଦର୍ଶନ ପାଇଁ ଧନ୍ୟବାଦ’।
ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ଆଶ୍ରମରେ ଚରଖା ଚଲାଇଥିଲେ। ମୋଦୀ ତାଙ୍କୁ ଆଶ୍ରମରେ ମହାତ୍ମା ଗାନ୍ଧୀ ଓ ଆତ୍ମନିର୍ଭରଶୀଳତାରେ ଚରଖାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ଆଶ୍ରମରେ ପ୍ରାୟ ୧୫ ମିନିଟ ଯାଏଁ ସେଠାରେ ମୋଦୀ, ଟ୍ରମ୍ପ ଓ ତାଙ୍କ ପତ୍ନୀ ରହିଥିଲେ।
ଏହାସହ ମୋଦୀ ଟ୍ରମ୍ପଙ୍କୁ ଗାନ୍ଧିଜୀଙ୍କ ବାର୍ତ୍ତା ଦେଉଥିବା ତିନିି ମାଙ୍କଡ଼ଙ୍କ ପ୍ରତିରୂପ ଦେଖାଇଥିଲେ। ଏହି ତିନି ମାଙ୍କଡ଼ ବାପୁଜୀଙ୍କ କାହିଁକି ପ୍ରିୟ ଓ ତାଙ୍କ ବାର୍ତ୍ତାକୁ ଦର୍ଶାଇଥାଆନ୍ତି ବୋଲି କହିଥିଲେ। ଗାନ୍ଧିଜୀ ମାଙ୍କଡ଼ଙ୍କ ମାଧ୍ୟମରେ ଜଣାଇଥିଲେ ଖରାପ ଦେଖ ନାହିଁ, ଖରାପ କୁହ ନାହିଁ, ଖରାପ ଶୁଣ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ଗାନ୍ଧିଜୀଙ୍କ ଆଶ୍ରମର ପ୍ରତ୍ୟେକ ଜିନିଷ ଓ ତାହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ସହ ଆଶ୍ରମ ଭ୍ରମଣ କରାଇଥିଲେ। ଏହାସହ ଆଶ୍ରମର ହୃଦୟ କୁଞ୍ଜ ମଧ୍ୟ ଦେଖାଇ କହିଥିଲେ, ଯେଉଁଠାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ତାଙ୍କ ପତ୍ନୀ କସ୍ତୁରବା ରହୁଥିଲେ।
ଟ୍ରମ୍ପ ଓ ତାଙ୍କ ପତ୍ନୀ ସାବରମତୀ ଆଶ୍ରମରେ ଚଲାଇଲେ ଚରଖା ; ପରିଦର୍ଶକ ପୁସ୍ତିକାରେ ମୋଦୀଙ୍କ ପ୍ରଶଂସା
Popular Categories



