www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜଙ୍ଗେଡ ପଞ୍ଚାୟତର ଟୁପାପରା ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ତଥା ପରିଚାଳନାରେ କୁନି କୁନି ପିଲାଙ୍କୁ ନେଇ ମା ସମାରୋହରେ ଶିଶୁ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଟୋପ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ,କବୟିତ୍ରୀ ତଥା ସମାଜ ସେବୀ ଅନସୂୟା ଦେବତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଓ ସି ଆର ସି ସି କିଚକ୍ ସୁନା ଓ ସାମ୍ବାଦିକ ଆକାଶ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଦେବତା କୁନି କୁନି ପିଲା ମାନଙ୍କୁ ଶିଶୁ ଦିବସର ମହତ୍ତ୍ଵ ପ୍ରତିପାଦନ କରିବା ସହ ଦେଶର ବୀର ବାଳକ ମାନଙ୍କର କାହାଣୀ ତଥା ଜୀବନ ଚରିତ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ି ଭଳ ମଣିଷ ହେବା ପାଇଁ ଉତ୍ସାହ ଓ ପ୍ରେରଣା ଦେଇଥିଲେ। ଏହି ଅବସରରେ ସେ ସମସ୍ତ ପିଲାଙ୍କୁ ଖାତା ଓ କମ୍ପାସ ମଧ୍ୟ ବଣ୍ଟନ କରିଥିଲେ।

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉକ୍ତ କାର୍ୟ୍ୟକ୍ରମଟିକୁ ଆରମ୍ଭ କରିଥିଲେ। ପ୍ରଧାନ ଶିକ୍ଷକଙ୍କ ବକ୍ତବ୍ୟରେ ଦେଶର ଶିଶୁ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅଖଣ୍ଡ ଆସ୍ଥା ପ୍ରକଟ କରି ଶିଶୁମାନଙ୍କୁ ଭବିଷ୍ୟତ ଭାରତର ନବନିର୍ମାତା ରୂପେ ଅଭିହିତ କରିଥିଲେ।

- Advertisement -

ଆଠଗଡ଼: ଆଠଗଡ଼ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଶିଶୁ ଦିବସ ଅବସରରେ ସ୍ଥାନୀୟ ବାଣୀକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌‌ ତଥା ଆଇନସେବା ସମିତିର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍‌‌ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ ଏବଂ ଦେଶ ଗଠନରେ ସେମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ଲାଗି ଆଇନରେ ଥିବା ବ୍ୟବସ୍ଥା ସଂପର୍କରେ ଶ୍ରୀ ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା ଉଦ୍‌‌ବୋଧନ ଦେଇ ଶିଶୁମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଶ୍ରୀମତୀ ପରିଜା ଶିକ୍ଷା ଅଧିକାର ଅଧିନିୟମ ଓ ଶିଶୁ ସୁରକ୍ଷା ଆଇନ ସଂପର୍କରେ ଆଲୋକପାତ କରିବା ସହ ଶିଶୁ ଶ୍ରମିକ ନିରୋଧ ଆଇନ ସଂପର୍କରେ ବୁଝାଇଥିଲେ। କୌଣସି ଅପରାଧରେ ସଂଶ୍ଳିଷ୍ଟ ୧୮ ବର୍ଷରୁ କମ୍‌‌ ବୟସ୍କ ଶିଶୁ ଓ କିଶୋରଙ୍କୁ ସେମାନଙ୍କର ଚରିତ୍ର ଓ ଚାଲିଚଳଣରେ ପରିବର୍ତ୍ତନ ଆଣିବା ଲାଗି କାରାଗାର ପରିବର୍ତ୍ତେ ବାଳ ସୁଧାର ଗୃହରେ ରଖାଯାଇଥାଏ ବୋଲି ସେ ପ୍ରକାଶ କରିଥିଲେ। ଆଇନଜୀବୀ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ଶିବିରରେ ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ, ସଂପାଦକ ବନବିହାରୀ ସାହୁ, ଉପସଭାପତି ସୁବାସ ସାହୁ, ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର ସ୍କୁଲ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ଦାଶ, ସଂପାଦକ ଦେବପ୍ରସାଦ ସେଠୀ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ଲାଗି ଥିବା ଆଇନ ବ୍ୟବସ୍ଥା ସଂପର୍କରେ ଅବତାରଣା କରିଥିଲେ। ସ୍କୁଲର ପ୍ରଧାନ ଆଚାର୍ୟ୍ୟ ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା ଓ ସହଯୋଗୀ ବୀଣା ଦାଶଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲ ପରିସରରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ତହସିଲଦାର ଗୀତାଞ୍ଜଳି ବେହେରା ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଅଭ୍ୟାସ ଟେକ୍ନୋ ସ୍କୁଲରେ ସିବିଏସଇ ଏଫିଲେସନ ତହସିଲଦାର ଓ ବିଈଓ ଉଦଘାଟନ କରିଥିଲେ। ଆଇଡିଏଲ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଜୌତି ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହୁରୁ କିପରି ପିଲାମାନଙ୍କୁ ଭଲ ପାଉଥିଲେ ସେହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଜି.ଉଦୟଗିରି: ଶିଶୁ ଦିବସ ଅବସରରେ ଆଜି ଜି.ଉଦୟଗିରି ତାଲୁକକ୍ଷ ଆଇନ ସେବା ପକ୍ଷରୁ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯିବା ସହ ଆଇନ ସଚେତନତା ନେଇ ସହର ପରିକ୍ରମା କରାଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ତାଲୁକକ୍ଷ ଆଇନ ସେବରା ଅଧ୍ୟକ୍ଷା ବରିଷ୍ଟ ଦେୱାନୀ ତଥା ସହକାରୀ ଦୌରା ଜଜ ଗୀତାଞ୍ଜଳି ନନ୍ଦ ଓ ପ୍ରଥମ ଶ୍ରେଣି ବିଚାର ବିଭାଗୀୟ ବିଚାରପତି ସୁସ୍ମିତା ପ୍ରୀୟଦୂର୍ଶିନିଙ୍କ ତତ୍ବାବଧାନରେ ସହରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଇନ ସଚେତନତା ନେଇ ସହର ପରିକ୍ରମା କରାଯାଇଥିଲା।

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୂରୀ ରେ ୩୧ ତମ ପ୍ରତିଷ୍ଠା ଦିବସ ଓ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ବବୃବାହନ ମିଶ୍ରଙ୍କ ପରିଚାଳନାରେ ତଥା ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ସମ୍ମାନିତ ଅତିଥି ରୂପେ ମୁନିରାମ କୁମ୍ଭାର, ମନୋରଞ୍ଜନ ଲୁହା, ସଭାପତି ଶେଷଦେବ ନାଏକ, ସରୋଜ କୁମାର ରଥ ଯୋଗ ଦେଇଥିଲେ।

ଆଠଗଡ଼: ଆଠଗଡ଼ ଇନରହ୍ୱିଲ କ୍ଲବ ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। କ୍ଲବର ସଭାପତି ମଞ୍ଜୁଲତା ମହାଳିକ ଏଥିରେ ପୌରୋହିତ୍ୟ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌‌ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଂପାଦିକା ନିରଜନଳିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କ୍ଲବର ବରିଷ୍ଠ ସଦସ୍ୟା ମଞ୍ଜୁଳା ଦାସ, ପୁଲିନ ମିଶ୍ର, ମନୋଜିନୀ ତ୍ରିପାଠୀ, ପ୍ରଣତି ପଣ୍ଡା ପ୍ରମୁଖ ଯୋଗଦେଇ ଦେଶର ଭବିଷ୍ୟତ କର୍ଣ୍ଣଧାର ସାଜିବାକୁ ଥିବା ଆଜିର ଶିଶୁମାନଙ୍କର ପ୍ରତିଭାର ବିକାଶ ଏବଂ ସେମାନଙ୍କୁ ସୁନାଗରିକ ଭାବେ ଗଢିତୋଳିବାର ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କୁ ସତ୍‌‌ମାର୍ଗରେ ପରିଚାଳିତ କରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଭାପତି ଶ୍ରୀମତୀ ମହାଳିକ ଓ ସଂପାଦିକା ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଆଠଗଡ଼: ଆଠଗଡ଼ର ଅନ୍ୟତମ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ପକ୍ଷରୁ ଉପରସାହିର ସାଇ ଭବନଠାରେ ଶିଶୁ ଦିବସ ସଂଗଠନର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌‌ ତଥା କବୟିତ୍ରୀ ପୁଲିନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ସଂଗଠନର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଭଞ୍ଜ ଓ ସଂପାଦକ ପାୟଲ ବର୍ମା ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଆଠଗଡ଼ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ମ୍ୟୁଜିକ୍‌‌ ଚେୟାର, ଗଣିତ ଦୌଡ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଚିତ୍ରାନନ୍ଦ ସାହୁ, ଅମ୍ଲାନ ପରିଡ଼ା, ସାଇଶ୍ୱେତା ସାହୁ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଠଗଡ଼: ଆଠଗଡ଼ର ଅଶୋକ ନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସ ଇଂଲିଶ ମିଡିୟମ ସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ଼ ସାମ୍ବାଦିକ ସଂଘର ସଭାପତି ଅର୍ଦ୍ଧେନ୍ଦୁ ମହାନ୍ତି, ମୁଖ୍ୟବକ୍ତା ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରଞ୍ଜିତ ଦାସ ଓ ଶିକ୍ଷାବିତ୍‌‌ ପର୍ଶୁରାମ ବେହେରା ପ୍ରମୁଖ ଯୋଗଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ଦେଶ ଓ ରାଷ୍ଟ୍ରଗଠନର ଭବିଷ୍ୟତ ଏବଂ ଶିଶୁମାନଙ୍କ ମୌଳିକ ଅଧିକାରରର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାମ୍ବାଦିକ ବିଶ୍ୱଜିତ୍‌‌ ରାଉତ ଓ ବିରୁପାକ୍ଷ ପ୍ରଧାନ ବିଚାରକ ଭାବେ ପ୍ରତିଯୋଗୀଙ୍କର ମୂଲ୍ୟାୟନ କରିଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ବିଭୂତି ଭୂଷଣ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷା ସୁଚିସ୍ମିତା ଦଳାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ପୁହାଣ ବିବରଣୀ ପାଠ କରିଥିଲେ। ପରିଚାଳନା କମିଟି ସଦସ୍ୟ ଅଶୋକ କୁମାର ଦାଶ, ହିମାଂଶୁ ପରିଡ଼ା, ହେମନ୍ତ କୁମାର ମହାନ୍ତି, ଶିକ୍ଷୟିତ୍ରୀ ଲିପସା ଗଡ଼ନାୟକ, ଅନିତା ନାୟକ, ନଳିନୀ ବେହେରା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଜବାମିତ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥଲେ।

ଫୁଲବାଣୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଦିବସ ପାଳିତ ହୋଇଛି।ଏ ଉପଲକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସହରର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପଦଯାତ୍ରା ସହିତ ସହରର ମୂଖ୍ୟ ରାସ୍ତା ପାର୍ଶ୍ଵରେ ମାନବ ଶୃଙ୍ଖଳର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସଭାଗୃହ ନିକଟରୁ ମାଦିକୁନ୍ଦା ଛକ ପର୍ୟ୍ୟନ୍ତ ପିଲାମାନେ ହାତକୁ ହାତ ଯୋଡି ଠିଆ ହେବା ସହ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସମର ବିଳାସ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଆଇନରେ ଶିଶୁ ମାନଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

ବୌଦ୍ଧ: ବୌଦ୍ଧର ପ୍ରଭୁଜୀ ଗ୍ଲୋବାଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋରେ ପାଳନ କରାଯାଇଛି। ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ ଓ ବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସାହୁ ଅତିଥି ଭାବରେ ଯୋଗଦେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ ମନୀଷା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସସ୍ମିତା ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଆକାଶ ଜେନା ଓ ଭାଗ୍ୟଶ୍ରୀ ବେହେରା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ପାଟଣା: ଘଟଗାଁ ବ୍ଲକ ଗଦାଧରପୁର କୁଢ଼ଟାଙ୍ଗର ସ୍ଥିତ ଶ୍ରୀ ଗୁରୁକୁଳ ବିଦ୍ୟାଳୟରେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୪ ଜନ୍ମ ଶତବାର୍ଷିକୀ ଦିବସ ଆଡମ୍ବର ସହକାରେ ପାଳନ କରାଯାଇଛି। ଶିଶୁ ଦିବସ ଅବସରରେ ବରିଷ୍ଠ ସମାଜ ସେବୀ ମଦନ ମୋହନ ରାଉତ ଏବଂ ରାଧେଶ୍ୟାମ ରାଉତ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ଉପଯୋଗୀ ଉପଦେଶ ଦେଇଥିଲେ। ସ୍କୁଲ ତରଫରୁ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରତିଯୋଗିତା ରାମ୍ପ ସୋ, ବାସ୍କେଟ୍ ବଲ, ଚକୋଲେଟ ଜମ୍ପ, ଚାମଚ କାଚ ଗୋଲି ହୋଇଥିଲା। ବିଦ୍ୟାଳୟର ଶିକ୍ଷିକା ମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନ କରାଯାଇଥିଲା। କାର୍ୟ୍ୟକ୍ରମକୁ ଶ୍ରୀ ଗୁରୁକୁଳ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷା କିରଣବାଳା ସାହୁ ଓ ଗୁରୁକୁଳ ମଡେଲ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଶାନ୍ତି ସାହୁଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଦୋଳ ଗୋବିନ୍ଦ ଦାସ ଓ ଶାସ୍ୱତୀ ଦାସ , ଧବଳେଶ୍ଵର ବେହେରା ପରି ଚାଳନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷିକା ସହଯୋଗ କରିଥିଲେ।

ଫୁଲବାଣୀ: ସରକାରୀ ବ୍ୟବସ୍ଥାରେ ଅଙ୍ଗନୱାଡି ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ୟ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ପରିବେଶରୁ ଶିକ୍ଷା କ୍ଷେତ୍ର ପର୍ୟ୍ୟନ୍ତ। କିନ୍ତୁ ଶିଶୁ ଦିବସରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସମସ୍ୟା ଘେରରେ ଚାଲିଥିବା ବିଦ୍ୟାଳୟ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବିଦ୍ୟାଳୟରେ ନା ଅଛି ସ୍ୱଚ୍ଛ ପାଣିର ବ୍ୟବସ୍ଥା ନା ଅଛି ବିଦ୍ୟାଳୟର ସୁନ୍ଦର ଭିତ୍ତିଭୂମି, ନା ଅଛି ଏଠି ଭଲ ପାଇଖାନା ନା ଅଛି ଏଠି ବସିବା ପାଇଁ ବେଞ୍ଚ। ଏହି ପରି ଦୀର୍ଘ ବର୍ଷ ହେବ ଅବ୍ୟବସ୍ଥାରେ ଚାଲିଛି ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ନିକଟବର୍ତ୍ତୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୭ ବର୍ଷ ହେଲା ବିଦ୍ୟାଳୟର ଛପର ଗଲୁଥିବା ବେଳେ ଭଲ ପାଇଖାନା ନାହିଁ କିମ୍ବା ପିଇବା ପାଣି ନାହିଁ। ଏହା ସହିତ ବେଞ୍ଚ ଗୁଡ଼ିକ ଭଙ୍ଗା ଭଙ୍ଗି ହୋଇ ପଡ଼ିରହିଛି। ଶିକ୍ଷକ ଅଭାବରୁ ସମସ୍ତ ବିଷୟରେ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ଏଠିକାର ପ୍ରଧାନ ଶିକ୍ଷକଙ୍କ ୪ମାସ ହେଲା ଦେଖା ଦର୍ଶନ ନାହିଁ। ଯଦି କେବେ ଆସୁଛନ୍ତି ତେବେ ଅନେକ ସମୟରେ ଛାତ୍ରଛାତ୍ରୀମାନଙ୍କ ସହ ଦୁର୍ବ୍ୟବହାର କରୁଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି ।ପାଇଖାନା ଅଛି ହେଲେ ବ୍ୟବହାରିକ ପାଣି ନାହିଁ। ବିଦ୍ୟୁତ ସଂଯୋଗ କରାଯାଇଛି ହେଲେ ବିଦ୍ୟୁତ ନାହିଁ, କମ୍ପ୍ୟୁଟର ଅଛି ହେଲେ କମ୍ପ୍ୟୁଟର ଶିକ୍ଷା ଦିଆଯାଉନାହିଁ। ଶ୍ରେଣୀ କକ୍ଷର ଆଜବେଷ୍ଟସ ଗଲୁଥିବାବେଲେ ଚଟାଣରେ ପାଣି ପଡି ଅନେକ ଥର ଛାତ୍ରଛାତ୍ରୀଙ୍କ ଗଡ ଖସି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ଅନେକ ବୁଢ଼ା ଗଛ ଗୁଡ଼ିକ ରହିଛି ଯାହା ପବନ ବେଗରେ ଭାଙ୍ଗି ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କ ମନରେ ଭୟ ଜାତ ହେଉଥିବା କହିଛନ୍ତି।ଏହି ପରି ଅନେକ ସମସ୍ୟା ନେଇ ଗତି କରୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ବିଦ୍ୟାଳୟରେ ବିକ୍ଷଭ କରିବା ସହିତ ଏପରି ସମସ୍ୟାର ସାତ ଦିନ ମଧ୍ୟରେ ତୁରନ୍ତ ସମାଧାନ ନହେଲେ ଆମେ ବିଦ୍ୟାଳୟରେ ତାଲା ପକାଇବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଧାରଣା ଦେବୁ ବୋଲି ଶିଶୁ ଦିବସରେ ପ୍ରକାଶ କରିଛନ୍ତି।

ଫୁଲବାଣୀ: ଶିଶୁ ଦିବସ ଅବସରରେ ଆଜି କନ୍ଧମାଳ ଜିଲା ଗାଁ ଠାରୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ସମସ୍ତ ପ୍ରାୟ ବିଦ୍ୟାଳୟ ମାନଙ୍କରେ ଏହି ଦିବସ ଆଡ଼ମ୍ବର ସହିତ ପାଳିତ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଏହି ଦିବସ ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଯୋଗଦେଇଥିବା ଅତିଥିମାନେ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ସେହିଭଳି ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡିଣ୍ଡିରାଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅମରଜ୍ୟୋତି ଯୁବକ ସଂଘ ପକ୍ଷରୁ ଏକ ଶିଶୁ ଦିବସ ପାଳନ ସହିତ ମ୍ୟଜୁତ୍‌‌ ଚେୟାର, ଅଖା ଦୌଡ଼, କବାଡ଼ି, ଝୋଟି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories