କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମରେ ୪ବର୍ଷ ପୂର୍ବରୁ ବସବାସ କରି ଆସୁଥିବା ବିଧବା ମହିଳା ନିଲାବତୀ ବାଗ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। ସ୍ବାମୀ ଭଗବାନ୍ ବାଗର ମୃତ୍ୟୁ ପରେ ଅସହାୟ ହୋଇ ଘର ବାଡ଼ି ନ ଥିବାରୁ ଖାଇବା ପିଇବାକୁ ନ ପାଇ ନିକଟସ୍ଥ ଆଲଜିନ୍ ଗୁଡା ଗାଁରେ ଥିବା ସଂପର୍କୀୟ ଘରେ ଚାରୋଟି ଛୁଆ ପିଲାମାନକୁ ଧରି ରହି କୁଲି ମଜୁରୀ କରିବା ସହ ନିଜ ପେଟ ପୋଷିବା ପାଇଁ ଲୋକଙ୍କ ଘରେ ବାସନ କୁସନ ମାଜିଲେ। ସେହି ଲୋକ ମାନେ ଯାହା ଦିଅନ୍ତି ତାହାକୁ ଖାଇ କାମ କରି ରହି ଆସୁଛନ୍ତି। ସରକାରୀ ସହାୟତା କହିଲେ ଦୁଇ ତିନି ମାସ ହେବ ଭତ୍ତା ବାବଦକୁ ୧୦୦୦ ଟଙ୍କା ଲେଖାଏ ମିଳୁଥିବା କହୁଛନ୍ତି।
ସରକାରଙ୍କ ତରଫରୁ ଜମି ଜାଗା ଯାହାର ନାହିଁ ସେମାନଙ୍କୁ ଘର କରିବା ପାଇଁ ଜାଗା ଦିଆ ଯାଉଥିବା ବେଳେ ଏହି ବିଧବା ମହିଳା ତାହା ମଧ୍ୟ ପାଇ ନାହାନ୍ତି। ଏହା ଦେଖି ରତ୍ନଜୀ ନାମକ ବ୍ୟକ୍ତି ମହିଳାଙ୍କୁ ଦୁଇ ସେଣ୍ଟ ଜାଗା ଜମି ସାହାଯ୍ୟ କରିଛନ୍ତି। କିନ୍ତୁ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଏହି ମହିଳା ବୁଲି ବୁଲି ହାଲିଆ ହୋଇ ପଡ଼ିଥିବା ବେଳେ ଆଜି ପର୍ଯ୍ୟନ୍ତ ଘର ଖଣ୍ତେ ପାଇ ନ ଥିବା କହିଛନ୍ତି। ସରକାରଙ୍କ ତରଫରୁ ଏହି ଗରିବ ବିଧବା ମହିଳା ନିଲାବତୀକୁ ଘର ଖଣ୍ଡେ ଯୋଗାଇ ଦେଲେ ସେ ନିଜେ ବଞ୍ଚିବା ସହିତ ଚାରୋଟି ଛୁଆ ପିଲାଙ୍କୁ ନେଇ ରହି ପାରିବେ ବୋଲି ଗ୍ରାମବାସୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।



