ଆଠଗଡ଼: ଆଠଗଡ଼ ମହୋତ୍ସବ -୨୦୨୩ ପାଇଁ ଆଉ ମାତ୍ର ୯ଦିନ ରହିଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି। ସବୁ ବର୍ଗର ଲୋକ ଓ ଛାତ୍ରଛାତ୍ରୀଙ୍କୁ ନେଇ କ୍ରୀଡା, ସାଂସ୍କୃତିକ ଓ ବୌଦ୍ଧିକ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ଏହି କ୍ରମରେ ଗତ ୩ତାରିଖରୁ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ମହୋତ୍ସବକୁ ପରିବ୍ୟାପ୍ତ ଓ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରେ ପ୍ରତିଯୋଗିତା ଆୟୋଜନ କରାନଯାଇ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଶିକ୍ଷା କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ପ୍ରତି କ୍ଲଷ୍ଟରରୁ ମନୋନୀତ ପ୍ରତିଯୋଗୀଙ୍କ ପାଇଁ ଆଠଗଡ଼ର ଲକ୍ଷ୍ମୀବଜାର ମଣ୍ଡପ ଓ କନ୍ତୋଲ ନୋଡାଲ ସ୍କୁଲ ପରିସରରେ ଚୂଡାନ୍ତ ପ୍ରତିଯୋଗିତା ଆୟୋଜନ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭଜନ, ଦେଶାତ୍ମବୋଧକ ସଂଗୀତ, ପାରମ୍ପରିକ ସଂଗୀତ, ଓଡିଶୀ ନୃତ୍ୟ, ଲୋକନୃତ୍ୟ, ଆଧୁନିକ ନୃତ୍ୟ ଓ କୌତୁକ ବେଶ ପ୍ରତିଯୋଗିତା କରାଯାଇଛି। ଏଥିରେ ଆଠଗଡ଼ର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆଗ୍ରହର ସହିତ ଅଂଶଗ୍ରହଣ କରୁଥିବା ଦେଖାଯାଇଛି। ଅନୁଭୂତି ଓ ଅଭିଜ୍ଞତା ସଂପନ୍ନ ବ୍ୟକ୍ତିମାନେ ବିଚାରକ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରୁଛନ୍ତି। ମଙ୍ଗଳବାର ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ହୋଇଥିବା ବେଳେ ବୁଧବାର ଲୋକନୃତ୍ୟ, ଗୁରୁବାର ପାରମ୍ପରିକ ସଂଗୀତ ଓ ଶୁକ୍ରବାର ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାଂସ୍କୃତିକ କମିଟିର ଆବାହକ ପାର୍ଥସାରଥୀ ପଟ୍ଟନାୟକ, ଯଶୋବନ୍ତ ବାରିକ ଓ ନବକିଶୋର ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ପରିଚାଳନାରେ ଶିକ୍ଷକ ଶଶଧର ମହାରଣା ଓ ଶିକ୍ଷାବିତ୍ ପର୍ଶୁରାମ ବେହେରା ସହଯୋଗ କରିଥିଲେ।
Popular Categories



