ବ୍ୟାପକ ଫସଲ ନଷ୍ଟ – କ୍ଷେତ ଓ ଖଳାରେ ଭିଜୁଛି ଧାନ

ରେଙ୍ଗାଲି: ସାମୁଦ୍ରିକ ବାତ୍ୟା ମିଗ୍‌‌ଜୋମ୍‌‌ର ପ୍ରଭାବରେ ଗତ ୨ଦିନ ହେଲା ଅବିଶ୍ରାନ୍ତ ଭାବରେ ଝିପିଝିପି ବର୍ଷା ଏବେ ଚାଷୀ ମାନଙ୍କ ପାଇଁ କାଳ ହୋଇଛି। ଅଦିନିଆ ବର୍ଷା ଯୋଗୁଁ କ୍ଷେତରୁ ଅମଳ ହୋଇ ଖଳାରେ ଗଚ୍ଛିତ ଥିବା ଧାନ ବର୍ଷା ପାଣିରେ ଭିଜୁଥିବା ବେଳେ ଏପର୍ଯ୍ୟନ୍ତ ଅମଳ ହୋଇ ନଥିବା ବାହାଲ ଏବଂ ବେର୍ଣା କିସମ ଜମିରେ ଚାଷ ହୋଇଥିବା ଧାନ କ୍ଷେତ ପାଣିରେ ଭାସୁଛି। ଅନେକ ଚାଷ ଜମିରେ କଟା ହୋଇଥିବା ଧାନ ପେଟା ମଧ୍ୟ ପାଣି ଜୁଡୁବୁଡୁ ହୋଇ ପଡ଼ିଛି। ଏଭଳି ସଙ୍କଟମୟ ପରିସ୍ଥିତିର ମୁକାବିଲା କରି କଷ୍ଟ ଉପାର୍ଜିତ ଫସଲକୁ ବର୍ଷା ଦାଉରୁ ରକ୍ଷା କରିବାରେ ଚାଷୀ ଉପାୟ ଶୂନ୍ୟ ହୋଇ କପାଳରେ ହାତ ମାରି ବସିଛନ୍ତି। ଏହି ଅଦିନଆ ବର୍ଷାରେ ଧାନ ଫସଲ ବ୍ୟତିତ ବହୁ ପରିମାଣର ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବାର ଜଣାପଡ଼ିଛି। ଏହାବ୍ୟତୀତ କୃଷି ବିଭାଗର ପ୍ରୋତ୍ସାହନ ରେ ହୋଇଥିବା ସୋରିଷ ଚାଷ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

କୃଷି ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ ରେଙ୍ଗାଲି ବ୍ଳକ୍‌‌ରେ ୧୨ ହଜାର ୨ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ ଭାଗ ଜମିରେ ଧାନ ଅମଳ ହୋଇଥିବା ବେଳେ ଆହୁରି ୫୦ ଭାଗ ଧାନ ଅମଳ ନ ହୋଇ କ୍ଷେତରେ ପଡ଼ି ରହିଛି। ପ୍ରାୟ ୬ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ ହୋଇଥିବା ଧାନ ଅଦିନିଆ ବର୍ଷା ଯୋଗୁଁ ଗଜା ହେବାର ଆଶଙ୍କା ଦେଖାଦେଇଛି। ତେବେ ଆଜି ଠାରୁ କୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ପାଇଁ ଯୁଗ୍ମ ସର୍ଭେ ଆରମ୍ଭ ହୋଇଛି ବୋଲି ବ୍ଳକ୍‌‌ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ସୂଚନା ଦେଇଛନ୍ତି।

Comments are closed.