ବିହାର ପାଟନାରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା – ୧୬ ଆହତ, ଜଣେ ମୃତ

ବୁର୍ଲା: ସୋନପୁର ଜିଲ୍ଲା ବିନିକା ବ୍ଲକର ତିନୋଟି ଗ୍ରାମରୁ ୧୭ଜଣ ବ୍ୟକ୍ତି ତୀର୍ଥଯାତ୍ରା କରିବା ପାଇଁ ଗଙ୍ଗା, ଗୟା, କାଶି ଏବଂ ବୃନ୍ଦାବନ ଅଭିମୁଖେ ଯାଇଥିଲେ। ଏହି ତୀର୍ଥଯାତ୍ରୀମାନେ ଗତ ୨୫ତାରିଖ ଦିନ ଘରୁ ବାହାରି ସମ୍ବଲପୁରରୁ ଟ୍ରେନରେ ତୀର୍ଥଯାତ୍ରା ଆରମ୍ଭ କରିଥିଲେ। ଗୟାରୁ ବାହାରି କାଶି ଅଭିମୁଖେ ଏକ ଟୁରିଷ୍ଟ ବସରେ ଯାଉଥିଲେ। ବିହାର ପାଟନା ଅନ୍ତର୍ଗତ କାଂଚାନଗଂଜ ଠାରେ ରାତି ପ୍ରାୟ ୨ଟା୩୦ ମିନିଟରୁ ୩ଟା ମଧ୍ୟରେ ଟୁରିଷ୍ଟ ବସଟି ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌‌ ସହିତ ଧକ୍କା ହୋଇଥିଲା। ଯାତ୍ରୀଙ୍କୁ ନେଇ ଯାଉଥିବା ବସର ଚାଳକ ଏବଂ ଜଣେ ମହିଳା ତୀର୍ଥଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାକି ୧୬ଜଣ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ଥାନୀୟ ଲୋକେ ଚିକିତ୍ସା କରାଇଥିଲେ। ତେବେ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ହସ୍ତକ୍ଷେପ ପରେ ସମସ୍ତ ଆହତ ସାଉଥବିହାର ଏକ୍ସେପ୍ରେସ୍‌‌ ଟ୍ରେନରେ ଝାରସୁଗୁଡାରେ ପହଂଚିଥିଲେ। ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଆହତଙ୍କୁ ଝାରସୁଗୁଡା ରେଳଷ୍ଟେସନରୁ ୭ଟି ଆମ୍ବୁଲାନ୍ସରେ ଭିମ୍‌‌ସାରରେ ପହଂଚାଯାଇଛି। ଭିମ୍‌‌ସାରରେ ସମ୍ପୃକ୍ତ ୧୬ଜଣ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ପୁର୍ବରୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଥିଲା। ସେହି ଅନୁଯାୟୀ ଏହି ଆହତ ମାନଙ୍କ ଚିକିତ୍ସା ପାଇଁ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ସମସ୍ତ ଆହତଙ୍କୁ ଆଶୁଚିକିତ୍ସା ବିଭାଗର ଉପର ମହଲାରେ ରଖାଯାଇ ସେମାନଙ୍କ ପୁର୍ବ ଚିକିତ୍ସାର କାଗଜପତ୍ର ଯାଞ୍ଚ କରାଯାଇ ଆଗକୁ ଚିକିତ୍ସା ପ୍ରକ୍ରିୟା ଚାଲିଥିଲା। ମୃତ୍ୟୁବରଣ ହୋଇଥିବା ମହିଳା ସିଙ୍ଘିଯୁବା ଜାମପାଲି ଗ୍ରାମର ବାଲି ଗଡ଼଼ୁଆ (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆହତ ସ୍ୱାମୀ କମ୍ପାନି ଗଡ଼଼ୁଆ ଆହତ ହୋଇଥିବା ବେଳେ ନିଜର ପତ୍ନୀଙ୍କ ମୃତ୍ୟୁକୁ ନେଇ ଚିନ୍ତାଗ୍ରସ୍ତ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ୧୬ ଜଣ ଆହତ ମାନଙ୍କ ମଧ୍ୟରେ ବନିକି ସିଙ୍ଘିଜୁବା ଜାମପାଲି ଗ୍ରାମର ବୃନ୍ଦାବତି ପାଲିତା ତାଙ୍କ ସ୍ୱାମୀ ନିଲମଣୀ ପାଲିତା, ଜମା ଗଡ଼଼ିଆ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଗଡ଼଼ୁଆ, ସେହି ଜମପାଲି ଗ୍ରାମର ସିନା ମହାନନ୍ଦ, ଭୁବନ ଗଡ଼଼ୁଆ, ସିଙ୍ଘିଯୁବା ପାପି ଗ୍ରାମର ବୃନ୍ଦାବନ କ୍ଷେତିଙ୍କ ସହିତ ତାଙ୍କ ସ୍ତ୍ରୀ ବେଦମତି କ୍ଷେତୀ, ସିଙ୍ଘିଯୁବା ପାପି ଗ୍ରାମର ସୁର୍ଯ୍ୟନାରାୟଣ ମାହାର ଏବଂ ତାଙ୍କ ସ୍ତ୍ରୀ ବାସନ୍ତି ମାହାର, ସିଙ୍ଘିଯୁବା ପାପି ଗ୍ରାମର ସଂଯୁକ୍ତା ବାଗ ଏବଂ ତାଙ୍କ ପୁଅ ସୁବାସଚନ୍ଦ୍ର ବାଗ, ସିନ୍ଦୁରପୁର ବିଶାଲପାଲି ଗ୍ରାମର ଜଗନ୍ନାଥ ପଲିତା ଏବଂ ତାଙ୍କ ଧର୍ମପତ୍ନୀ ଜୟନ୍ତି ପଲିତା, କୁତୁଙ୍ଗା ଗ୍ରାମର ବାଳକୃଷ୍ଣ ଦେହେରୀ ଆହତ ମାନଙ୍କ ମଧ୍ୟରେ ରହିଛନ୍ତି। ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲ୍‌‌ମୋହନ ନାୟକ, ଆଶୁଚିକିତ୍ସା ବିଭାଗ ଅଧିକାରୀ ସହଯୋଗୀ ପ୍ରଫେସର ବ୍ରଜସୁନ୍ଦର ସାହୁ ନିଜେ ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ତେବେ ସମସ୍ତ ୧୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ୨୪ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପରେ ଏହାପରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ନିଜ ନିଜ ଘରକୁ ଛଡାଯିବ ବୋଲି ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲ୍‌‌ମୋହନ ନାୟକ ସୂଚନା ଦେଇଛନ୍ତି।

Comments are closed.