ଦେଓଗାଁ: ବଲାଙ୍ଗୀର ସଦର ବ୍ଳକ୍ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମପଞ୍ଚାୟତରେ ଶୁକ୍ରବାର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଉପନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅଜିତ କୁମାର ସାହୁ ବିପୁଳ ଭୋଟ୍ରେ ବିଜୟୀ ହୋଇଥିବା ଜଣାପଡିଛି। କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ୧୦୬୧ ଭୋଟ୍ ମିଳିଥିବାବେଳେ ନିକଟତମ ପ୍ରାର୍ଥୀ ଦାମ ପୁଟେଲଙ୍କୁ ୭୪୩ ଖଣ୍ଡ ଭୋଟ ମିଳିଥିବା ଜଣାପଡିଛି। ଶ୍ରୀ ସାହୁ ୩୧୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଜଣାପଡିଛି। ଅନ୍ୟ ଦୁଇ ପ୍ରାର୍ଥୀ ରାଧାକାନ୍ତ ବାଗ ୨୦୬ ଖଣ୍ଡ ଏବଂ ଦମୟନ୍ତୀ ପଶାୟତ ୧୭୭ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି। ଗ୍ରାମପଞ୍ଚାୟତର ସମିତି ସଭ୍ୟ ଶ୍ରୀବସ୍ର ସାହୁଙ୍କ ମୃତ୍ୟୁ ପରେ ସମିତି ସଭ୍ୟ ପଦବୀ ଖାଲି ପଡିଥିଲା। ଏହି ସମିତି ସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ସରିବା ପରେ ବିଜୟୀ ଶ୍ରୀ ସାହୁ ବଲାଙ୍ଗୀର ଆସି ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ବିଜୟୀ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଜନସାଧାରଣ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେମାନଙ୍କ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ଗ୍ରାମପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେବା ସହ ସମସ୍ତ ପଞ୍ଚାୟତବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କୁ ସାକ୍ଷାତ ସମୟରେ ଗ୍ରାମପଞ୍ଚାୟତର ବହୁ ସମର୍ଥକଙ୍କ ସହ ବୀରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଭୁତିଆରବାହାଲ ସମିତି ସଭ୍ୟ ଉପନିର୍ବାଚନ, କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଭେଟିଲେ ବିଜୟୀ ସମିତି ସଭ୍ୟ
Popular Categories



