କେନ୍ଦୁଝରର କାଶ୍ମୀର ‘ହାଣ୍ଡିଭଙ୍ଗା’ ଜଳପ୍ରପାତ

କେନ୍ଦୁଝରଗଡ଼଼: କେନ୍ଦୁଝରର କାଶ୍ମୀର ଭାବେ ପରିଚିତ ‘ହାଣ୍ଡିଭଙ୍ଗା’ ଜଳପ୍ରପାତ ବିକାଶ ଅପେକ୍ଷାରେ ଥିବାବେଳେ ସୌନ୍ଦର୍ଯ୍ୟଘେରା ଏହି ଜଳପ୍ରପାତ ଦେଖିବାକୁ ଏଠାକୁ ବର୍ଷତମାମ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ। ବିପର୍ଯ୍ୟସ୍ତ ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ମୋବାଇଲ୍‌‌ ସେବା ବ୍ୟବସ୍ଥା, ପର୍ଯ୍ୟଟକଙ୍କ ରହିବା ବ୍ୟବସ୍ଥା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏଠାରେ ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକମାନଙ୍କ ଲମ୍ବା ଧାଡି ଲାଗିପାରନ୍ତା। ରାଜ୍ୟରେ ଏଭଳି ଏକ ମନଲୋଭା ପର୍ଯ୍ୟଟନସ୍ଥଳ କେନ୍ଦୁଝର ଜିଲାରେ ରହିଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି। କେନ୍ଦୁଝର ଜିଲାର ଅପହଞ୍ଚ ଇଲାକାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ଅନେକ ଗୁପ୍ତ ପର୍ଯ୍ୟଟନସ୍ଥଳ ବୋଲି କହିଥାନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ରହି ପର୍ଯ୍ୟଟକଙ୍କ ଆଢୁଆଳରେ ଥିବା ଏହି ଜଳପ୍ରପାତଟି ନିୟମିତ ଝରଝର ହୋଇ ତଳକୁ ଖସିପଡୁଛି। ଏହି ମନୋରମ ଜଳପ୍ରପାତ ସହିତ ଏଠାକାର ଶାନ୍ତଶୀତଳ ସବୁଜିମା ଭରା ପରିବେଶ ପର୍ଯ୍ୟଟକଙ୍କୁ ସର୍ବଦା ଆକର୍ଷିତ କରିଥାଏ।

କେନ୍ଦୁଝର ସହରଠାରୁ ୨୦ନଂ ଜାତୀୟ ରାଜପଥରେ ୨୦କି.ମି. ଦୂର ପରେ ପଳାଶପଙ୍ଗା-ବାମେବାରୀ ରାସ୍ତା ଦେଇ ୨୨ କିଲୋମିଟର ଆଗକୁ ଗଲେ ପଡେ କାଳିମାଟି ଛକ। ଏହି କାଳିମାଟି ଛକରୁ ବାମପାର୍ଶ୍ବକୁ ୫ କିଲୋମିଟର ଜଙ୍ଗଲ ରାସ୍ତାରେ ଯିବାପରେ କେନ୍ଦୁଝର ଜିଲାର କାଶ୍ମୀର କୁହାଯାଉଥିବା ହାଣ୍ଡିଭଙ୍ଗା ଜଳପ୍ରପାତର ମନୋଲୋଭା ଦୃଶ୍ୟ ଯେକେହି ଦେଖିଲେ ମନଲାଖି ଯାଏ। ହାଣ୍ଡିଭଙ୍ଗା ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ଯିଏ ନଦେଖିଛି ସେ ହୃଦୟଙ୍ଗମ କରିପାରିବ ନାହିଁ। ମନୋରମ ଜଙ୍ଗଲ, ସବୁଜିମା ବୃକ୍ଷରାଜି ସାଙ୍ଗକୁ ଦୂର ପାହାଡରୁ କୁଳୁକୁଳୁ ହୋଇ ବହି ଆସୁଥିବା ସୁଦୃଶ୍ୟ ଝରଣାଟି ହିଁ ହାଣ୍ଡିଭଙ୍ଗା ଜଳପ୍ରପାତ ଭାବେ ପରିଚିତ। ଲୋକଙ୍କ ଗମନାଗମନ ସ୍ଥାନରୁ ଦୃଶ୍ୟମାନ ହେଉଥିବା ଜଳପ୍ରପାତଠାରୁ ଆଉ ଗୋଟିଏ ବଡ ଜଳପ୍ରପାତ ଅତି ଉଚ୍ଚ ପାହାଡରୁ ପତିତ ହେଉଥିବା ଜଣାପଡେ। ପ୍ରଥମ ପ୍ରପାତର ପାଣି ପୁଣି ଆଉ ଗୋଟିଏ ପାହାଡରୁ ପଡ଼ି ଏଠାରେ ଦୁଇଟି ଜଳପ୍ରପାତ ସୃଷ୍ଟି ହୋଇଛି। ଜଳପ୍ରପାତ ପାଖରୁ ଠିଆ ହୋଇ ଏହାର ଦର୍ଶନ କଲେ ଏହାର ସୌନ୍ଦର୍ଯ୍ୟ କୌଣସି ଗୁଣରେ କାଶ୍ମୀର ଠାରୁ କମ୍‌‌ ହେବ ନାହିଁ ବୋଲି ପର୍ଯ୍ୟଟକମାନେ ମତ ଦିଅନ୍ତି। ଏହି ସ୍ଥାନକୁ ଯେ କେହି ଥରେ ଆସିଛି ଏହାର ସୌନ୍ଦର୍ଯ୍ୟର ମାୟା ଜାଲରେ ଛନ୍ଦି ହୋଇଯାଇଛି। ସେ ନିଶ୍ଚୟ ପୁନର୍ବାର ଏଠାକୁ ଆସିବାକୁ ବ୍ୟାକୁଳିତ ହୋଇଥାଏ। ଏଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଭୋଜି ତଥା ପରିଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି।

ପର୍ଯ୍ୟଟକଙ୍କ ସଂଖ୍ୟା ଶୀତ ଦିନେ ବହୁ ଗୁଣରେ ବୃଦ୍ଧି ପାଏ। ମକରସଂକ୍ରାନ୍ତି ଏବଂ ଶିବରାତ୍ରି ଦିନ ଏଠାରେ ଥିବା ଶିବ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କର ଭିଡ ପରିଲକ୍ଷିତ ହେବା ସହ ମନ୍ଦିର ନିକଟରେ ଛୋଟ ଛୋଟ ଦୋକାନ ବଜାର ବିପ୍ପଣୀ ବସିଥାଏ। ଲୋକମାନେ ମନ୍ଦିରରେ ପୂଜା କରିବା ସହ ଜଳପ୍ରପାତର ଦୃଶ୍ୟ ଉପଭୋଗ କରି ଘରକୁ ଫେରନ୍ତି। ଏଠାରେ ଥିବା ପଦ୍ମଶ୍ୱରାୟ ମନ୍ଦିରର ପୂଜକଙ୍କ କହିବାନୁସାରେ ଏହି ମନ୍ଦିରରେ ପ୍ରତିଦିନ ଦେବ ନୀତି ହୁଏ। ନୀତି ଭୋଗ ପାଇଁ ଖେଚୁଡି, ନଡିଆ କଦଳୀ ଭୋଗ ଲାଗି ହୁଏ। ପର୍ଯ୍ୟଟକମାନଙ୍କୁ ମାଗଣାରେ ଭୋଗ ବଣ୍ଟନ କରାଯାଏ। ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ସାରିଥିଲେ ମଧ୍ୟ ଏହାର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ କିମ୍ବା ଜିଲା ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଏହି ପର୍ଯ୍ୟଟନସ୍ଥଳ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହୋଇଥିବାବେଳେ ଜଳପ୍ରପାତ ନିକଟରେ ଚାରି ପାଞ୍ଚଟି ବଡ ବଡ ଖଣି ଲୁହାପଥର ଉତ୍ତୋଳନ ମଧ୍ୟ କରୁଛନ୍ତି। ଖଣି ମାଲିକମାନେ ଏ ଅଞ୍ଚଳରୁ ଖଣିଜ ସମ୍ପଦ ଉତ୍ତୋଳନ କରି କୋଟି କୋଟି ଟଙ୍କା ଲାଭ କରୁଥିବା ବେଳେ ଚିରଅବଳେିତ ଏହି ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ଏହା ନିଶ୍ଚିତ ଭାବେ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରନ୍ତା।

Comments are closed.