www.samajalive.in
Saturday, December 6, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣର ପ୍ରତିଶୋଧ ପାଇଁ ଶ୍ରୀଲଙ୍କାରେ ବିସ୍ଫୋରଣ କରାଯାଇଛି: ପ୍ରତିରକ୍ଷା ମନ୍ତ୍ରୀ

କଲୋମ୍ବୋ: ଶ୍ରୀଲଙ୍କାରେ ହୋଇଥିବା ସିରିଜ ବିସ୍ଫୋରଣ ଘଟଣାରେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଗତ ମାର୍ଚ୍ଚ ୧୫ରେ ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ୨ଟି ମସଜିଦରେ ହୋଇଥିବା ଆକ୍ରମଣର ପ୍ରତିଶୋଧସ୍ବରୂପ ଶ୍ରୀଲଙ୍କାରେ ଏହି ଆକ୍ରମଣ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏଭଳି ତଥ୍ୟ ମିଳିଥିବା ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ରୁୱାନ ୱିଜେୱାର୍ଡେନ ସଂସଦରେ କହିଛନ୍ତି।

ଗତମାସ ୧୫ ତାରିଖରେ ନ୍ୟୁଜିଲାଣ୍ଡର ୨ଟି ମସଜିଦରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିଚାଳନା କରି ପାଖାପାଖି ୫୦ ମୁସଲମାନଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ସେତେବେଳେ ବିଶ୍ଵାବ୍ୟାପୀ ନିନ୍ଦା କରାଯାଇଥିଲା। ମୃତକଙ୍କ ମଧ୍ୟରେ ବିଭିନ୍ନ ଦେଶର ମୁସଲମାନ ରହିଥିଲେ। ଖ୍ରୀଷ୍ଟିୟାନ ବହୁଳ ରାଷ୍ଟ୍ରରେ ମୁସଲମାନଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ସେମାନଙ୍କ ପ୍ରାଧାନ୍ୟ ବୃଦ୍ଧି ପାଉଥିବାରୁ ଏହି ଆକ୍ରମଣ କରାଯାଇଥିଲା ବୋଲି ପୁଲିସ ହାତରେ ଧରାପଡ଼ିଥିବା ଜଣେ ବନ୍ଧୁକଧାରୀ କହିଥିଲେ।

- Advertisement -

ଏହି ଘଟଣାର ପ୍ରତିଶୋଧ ନେବା ଲାଗି ଶ୍ରୀଲଙ୍କାର ସ୍ଥାନୀୟ ଆତଙ୍କବାଦୀମାନେ ଖ୍ରୀଷ୍ଟିୟାନମାନଙ୍କୁ ଟାର୍ଗେଟ କରି ଚର୍ଚ୍ଚ ଏବଂ ହୋଟେଲରେ ସିରିଜ ବିସ୍ଫୋରଣ କରିଥିଲେ। ଏଥିରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୩୨୧କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ଶ୍ରୀଲଙ୍କା ପୁଲିସ ୪୦ ଜଣଙ୍କୁ ଗିରଫ କରିଥିବାବେଳେ ମଙ୍ଗଳବାର ଆଉ ଜଣେ ସିରିୟା ନାଗରିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।

ଅନ୍ୟପଟେ ଏହି ଆକ୍ରମଣ ପାଇଁ ଜାତୀୟ ତୋହୀଦ ଜମାତ(ଏନଟିଜେ) ସଂଗଠନ ନିଜକୁ ଦାୟୀ କରିଛି। ଏହି ସଂଗଠନ ଇସଲାମିକ ଷ୍ଟେଟ୍‌(ଆଇଏସ) ଦ୍ବାରା ଅନୁପ୍ରେରିତ ହୋଇ ଆକ୍ରମଣ କରିଥିବା ଜଣାପଡ଼ିଛି। କିନ୍ତୁ ଆଇଏସ ସହିତ ଏନଟିଜେର ସିଧାସଳଖ ସମ୍ପର୍କ ଥିବା ନେଇ ଏଯାଏ କୌଣସି ପ୍ରମାଣ ମିଳି ନାହିଁ। ଜିହାଦୀ ସଂଗଠନଗୁଡ଼ିକ ଉପରେ ନଜର ରଖିଥିବା ଏକ ଗୋଇନ୍ଦା ସଂସ୍ଥା ଅନୁଯାୟୀ, ଶ୍ରୀଲଙ୍କା ଆକ୍ରମଣ ପରେ ଆଇଏସ ସମର୍ଥକମାନେ ଉତ୍ସବ ମନାଉଛନ୍ତି। ଜଣେ ଆଇଏସ ସମର୍ଥକ ୩ ଜଣ ଆକ୍ରମଣକାରୀଙ୍କ ଫଟୋ ଜାରି କରିବା ସହ ସେମାନଙ୍କୁ କମାଣ୍ଡୋ ଭାବେ ଦର୍ଶାଇଛି ବୋଲି ଗୋଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।

ଆକ୍ରମଣ ପରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ବୈଷୟିକ ଏବଂ ଗୋଇନ୍ଦା ସହାୟତା ଯୋଗାଇ ଦିଆଯାଉଛି। ଅନେକ ଦିନର ଯୋଜନା ବିନା ଏଭଳି ଆକ୍ରମଣ କରାଯିବା ସମ୍ଭବ ନୁହେଁ ବୋଲି ଭାରତର ଜଣେ ଗୋଇନ୍ଦା ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ତେବେ ତାମିଲନାଡୁରେ ସକ୍ରିୟ ଥିବା ତାମିଲନାଡୁ ତୋହୀଦ ଜମ୍ମାତ(ଟିଏନଟିଜେ) ସଂଗଠନ ଏହି ଆକ୍ରମଣରେ ସମ୍ପୃକ୍ତ ନ ଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories