ନୟାଗଡ : ନୟାଗଡରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ଶୁକ୍ରବାର ପୁଲିସକୁ ବଡ ସଫଳତା ମିଳିଛି। ପରକୀୟା ପ୍ରୀତି ପାଇଁ ନିଜେ ସ୍ୱାମୀର ହତ୍ୟାକାରୀ ସାଜିଛି ସ୍ତ୍ରୀ। ଶୋଇଥିବା ଅବସ୍ଥାରେ ସ୍ୱାମୀକୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ନିଜ ମାଆ ସହ ମିଶି ସ୍ୱାମୀକୁ ଘର ଭିତରେ ମାଟି ଖୋଳି ପୋତି ଦେଇଛି। ମାଟି ତଳୁ ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ହେଲେ ପ୍ରକାଶ। ଅଭିଯୁକ୍ତ ସ୍ତ୍ରୀ ହେଲେ ଜ୍ୟୋତ୍ସ୍ନାରାଣୀ । ଏନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ, ନୟାଗଡ ଓଡଗାଁ ଥାନା କୋମଣ୍ଡ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟିଥିବା ହତ୍ୟାକାଣ୍ଡର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ। ଜ୍ୟୋତ୍ସ୍ନାରାଣୀ ପୁଲିସ ଆଗରେ ସମସ୍ତ ଘଟଣା କହିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି।
ଜ୍ୟୋତ୍ସ୍ନାରାଣୀଙ୍କର ପରକୀୟା ପ୍ରତି ଜଣାପଡିବାରୁ ନିଜ ପ୍ରେମିକ ସହ ମିଶି ସ୍ୱାମୀ ପ୍ରକାଶ ନାୟକଙ୍କୁ ମାରି ପୋତି ଦେଇଥିଲା। ଏଥିରେ ଜ୍ୟୋତ୍ସ୍ନାରାଣୀଙ୍କର ମାଆ ସହଯୋଗ କରିଥିଲେ ବୋଲି ଜଣାପଡିଛି। ପ୍ରାୟ ୨୦ ଦିନ ହେବ ପ୍ରକାଶ ନିଖୋଜ ଥିଲେ। ସେ ଶ୍ୱଶୁର ଘରେ ରହିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ନିଖୋଜ ନେଇ ଥାନାରେ କୌଣସି ଏତଲା ଦେଇନଥିଲେ। ପ୍ରକାଶଙ୍କ ବାପା ପୁଅ ନିଖୋଜ ହେବା ପରେ ସେଠାକୁ ଯାଇ ନିଖୋଜ ମାମଲା ଦେବା ପାଇଁ ଆଧାର କାର୍ଡ ଆଣିବାକୁ ଯାଇଥିଲେ। ସେଠାରେ ମାଟି ଖୋଳା ଦେଖି ସନ୍ଦେହ ହେବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ପରେ ଘଟଣା ସାମ୍ନାକୁ ଆସିଛି। ହତ୍ୟାରେ ବ୍ୟବହୃତ ହେମଦସ୍ତା, ଶାବଳ ଆଦି ଜବତ କରିଛି ପୁଲିସ। ଘଟଣାର ତଦନ୍ତ ଜାରି ରହିଛି।
ପରକୀୟା ପ୍ରୀତି ; ସ୍ୱାମୀକୁ ହେମଦସ୍ତାରେ ଛେଚି ମାରିବା ପରେ ପୋତିଲା ସ୍ତ୍ରୀ
Popular Categories



