ଭୁବନେଶ୍ୱର: ଓଡ଼ିଶାର ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ୪୧ କିମି ବ୍ରଡଗଜ୍ ରେଳଲାଇନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧-୧୨ରେ ଜଳେଶ୍ୱର-ଦୀର୍ଘା ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଥିଲା। ଏହି ପ୍ରକଳ୍ପର ୭ କିମି ପଶ୍ଚିମବଙ୍ଗରେ ଥିବା ବେଳେ ୩୪ କିମି ବାଲେଶ୍ୱରରେ ରହିଛି। ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ମଞ୍ଜୁରୀ ଲାଭ କରିବାର ଦୀର୍ଘ ୭ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନି। ତେଣୁ ଏହି ପ୍ରକଳ୍ପର ଭୌଗୋଳିକ ପରିବର୍ତ୍ତନ ପାଇଁ ୨୦୧୧, ଜୁନ୍ ୧୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ଦିଆଯାଇଥିଲା। ଏହି ରେଳ ଲାଇନ୍ ଓଡ଼ିଶାର ଭୁଷଣ୍ଡେଶ୍ୱର, ଚନ୍ଦନେଶ୍ୱର, ତଳସାରୀ-ଉଦୟପୁର ବିଚ୍ ଆଦି ଏକାଧିକ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳକୁ ସଂଯୋଗ କରିବ। ଯଦି ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ ତେବେ ତାହା ଉକ୍ତ ଅଞ୍ଚଳର ପର୍ଯ୍ୟଟନର ବିକାଶ ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ-ସାମାଜିକ ପ୍ରଗତିରେ ସହାୟକ ହୋଇପାରିବ। ତେଣୁ ୭ବର୍ଷ ଧରି ଲଟକି ରହିଥିବା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜମି ଓ ଆନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।



