ନୂଆଦିଲ୍ଲୀ: ହାଇକୋର୍ଟ ନିଜ ଆଡୁ କୌଣସି ଦୋଷୀର ଦଣ୍ଡ ଅବଧିକୁ ବଢାଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଅର୍ଥାତ୍ ଦୋଷୀର ଦଣ୍ଡକୁ କଠୋର କରିବା ଲାଗି ପୀଡିତ କିମ୍ବା ସରକାରଙ୍କ ପକ୍ଷରୁ ଆବେଦନ କରା ନଯିବା ପର୍ଯ୍ୟନ୍ତ ହାଇକୋର୍ଟ ନିଜ ଆଡୁ ଦଣ୍ଡ ବୃଦ୍ଧି କରାଯାଇପାରିବେ ନାହିଁ। ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବୁଧବାର ଏପରି ରାୟ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ଦ୍ବାରା ଘୋଷିତ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣେ ଦୋଷୀକୁ ଅଧିକ ଦଣ୍ଡ ଦିଆଯିବା ଘଟଣା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ଦୋଷୀ ନିଜର ସୁରକ୍ଷା ପାଇଁ ଉଚ୍ଚତର ଅଦାଲତର ଦ୍ବାରସ୍ଥ ହେବାର ଅଧିକାର ରହିଛି। ଏପରି କ୍ଷେତ୍ରରେ ସେ ଅଧିକ ଦଣ୍ଡିତ ହେବା ଭଳି ଆଶଙ୍କାରୁ ମୁକ୍ତ ରହିବା ଦରକାର। ଘଟଣାରୁ ପ୍ରକାଶ ଯେ ତାମିଲନାଡୁର ଜଣେ ଦୋଷୀ ନିଜର ଦଣ୍ଡାଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଦୋଷୀର ଦଣ୍ଡ ହ୍ରାସ କରିବା ପରିବର୍ତ୍ତେ ଅନ୍ୟ ଏକ ଅଭିଯୋଗ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଦୋଷୀ ସାବ୍ୟସ୍ତ କରି ଅଧିକ ୫ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହି ଅଭିଯୋଗରୁ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ। ଏହି ଅଭିଯୋଗରେ ଦଣ୍ଡିତ କରିବା ଲାଗି ପୀଡିତାଙ୍କ ପରିବାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆବେଦନ କରାଯାଇ ନଥିଲା। ଦୋଷୀ ଜଣଙ୍କ ହାଇକୋର୍ଟଙ୍କ ଏପରି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଦୋଷୀଙ୍କୁ ଆଶ୍ବସ୍ତି ପ୍ରଦାନ ପୂର୍ବକ ହାଇକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ଦଣ୍ଡକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଉଚ୍ଚତର ଅଦାଲତ ଜଣେ ଦୋଷୀକୁ ଦୋଷମୁକ୍ତ କିମ୍ବା ତା’ର ଦଣ୍ଡାଦେଶକୁ ହ୍ରାସ କିମ୍ବା ମାମଲା ପୁନଃବିଚାର ପାଇଁ ନିର୍ଦେଶ ଦେଇପାରିବେ। ମାତ୍ର ବିନା କୌଣସି ଆବେଦନରେ ତା’ର ଦଣ୍ଡକୁ ବଢାଇପାରିବେ ନାହିଁ।



