ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ବିବାଦ ପରିପ୍ରେକ୍ଷୀରେ ନିଜର ଆୟକର ପୁନଃଆକଳନ ପାଇଁ ମିଳିଥିବା ନୋଟିସକୁ ବିରୋଧ କରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ଏକ ଆବେଦନର ଶୁଣାଣି ଡିସେମ୍ବର ୪ରେ ହେବ। ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ସହମତି ପ୍ରକାଶ କରିଛନ୍ତି। ନ୍ୟାସନାଲ ହେରାଲ୍ଡ ବିବାଦ ପରିପ୍ରେକ୍ଷୀରେ ଉଭୟଙ୍କର ଆୟକର ପୁନଃଆକଳନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କାହାରିକୁ ଅଂଶଧନ ହସ୍ତାନ୍ତର କରିବା ଘଟଣାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆୟ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ଏବଂ କପିଲ ସିବଲ ଆଜିର ଶୁଣାଣି ବେଳେ ଯୁକ୍ତି ବାଢିଥିଲେ। ଅନ୍ୟପଟେ ଏହି ମାମଲାରେ ଆୟକର ବିଭାଗକୁ ନୋଟିସ ଜାରି କରିବାକୁ ଗାନ୍ଧୀଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ସେ ବିଭାଗ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାରୁ ବିଭାଗକୁ କୌଣସି ନୋଟିସ ଜାରି କରିବାର ଆବଶ୍ୟକତା ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଯୁକ୍ତି ଦର୍ଶାଇଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସୋନିଆ ଏବଂ ରାହୁଲଙ୍କୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିସ ବୈଧ କି ନୁହେଁ ତାହା ଡିସେମ୍ବର ୪ରେ ବିଚାର କରାଯିବ ବୋଲି ଅଦାଲତ କହିଛନ୍ତି। ନ୍ୟାସନାଲ ହେରାଲ୍ଡ ପ୍ରକାଶକ ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍ ସମ୍ବନ୍ଧୀୟ ମାମଲାରେ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଆୟକର ପୁନଃ ଆକଳନ କରାଯିବା ନେଇ ସୋନିଆ ଏବଂ ରାହୁଲଙ୍କୁ ନୋଟିସ ଜାରି କରାଯାଇଥିଲା।
Popular Categories



