www.samajalive.in
Saturday, December 6, 2025
26.1 C
Bhubaneswar

ପ୍ଲାଷ୍ଟିକ ପ୍ରୀତି ଚାଷୀଠୁ ଛଡ଼ାଇନେଲା ନଳିତା ଚାଷ

ତିଗିରିଆ: କୃଷି ପ୍ରଧାନ ସମଗ୍ର ଆଠଗଡ଼଼ ଉପଖଣ୍ଡରେ କୃଷି ଭିତ୍ତିକ ଶିଳ୍ପ ନିଶ୍ଚିହ୍ନ ହୋଇଯାଇଛି। ତିଗିରିଆ ନୂଆପାଟଣାର ଶ୍ରୀଜଗନ୍ନାଥ ସମବାୟ ସୂତାକଳ, ବଡ଼ମ୍ବାର ଚିନିକଳ ଏବଂ ଦୀର୍ଘ ବର୍ଷ ହେଲା ବନ୍ଦ ହୋଇ ପଡ଼ିରହିଛି ଆଠଗଡ଼଼ସ୍ଥିତି ସମବାୟ ଶୀତଳ ଭଣ୍ଡାର। ପନିପରିବା ଚାଷ ବହୁଳ ଏହି ଉପଖଣ୍ଡରେ ସଂରକ୍ଷଣ ସମସ୍ୟାରେ ବିଭିନ୍ନ ସମୟରେ ଚାଷୀ ସଢ଼ୁଥିବା ବେଳେ ଚିନିକଳ ବନ୍ଦ ହେତୁ ଅର୍ଥକାରୀ ଆଖୁଚାଷଠୁ ମଧ୍ୟ ଚାଷୀ ଦୂରେଇ ଯାଇଛନ୍ତି। ସେହିଭଳି ପ୍ରୋତ୍ସାହନ ଓ ସହଯୋଗ ଅଭାବରୁ ନଳିତା ଚାଷ ମଧ୍ୟ ବୁଡ଼ିଯାଇଛି। ଚାଷୀ ପାଇଁ ଏକ ନିର୍ଭରଯୋଗ୍ୟ ଆୟ ଉତ୍ସ ଭାବେ କୃଷିକୁ ସମୃଦ୍ଧ କରିବାକୁ ହେଲେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ସୁବ୍ୟବସ୍ଥିତ ବଜାର ବ୍ୟବସ୍ଥା ଏକମାତ୍ର ବିକଳ୍ପ ହୋଇପାରିବ ବୋଲି ବହୁ ଅଭିଜ୍ଞ ଚାଷୀମାନେ ମତ ପ୍ରକାଶ କରିଛନ୍ତି।

ଆଉ ଦିନ କେଇଟାରେ ଦୀପାବଳି ତଥା ପୟାଶ୍ରାଦ୍ଧ। ରାଜ୍ୟର ପ୍ରତିଟି ଓଡ଼ିଆ ପରିବାର ପାଇଁ ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସ୍ୱର୍ଗବାସୀ ପିତୃପୁରୁଷଙ୍କ ପାଇଁ ଶ୍ରଦ୍ଧା, ସମ୍ମାନ ଓ ସ୍ମରଣର ଦିବସ। ଆକାଶକୁ ଊର୍ଦ୍ଧ୍ବମୁଖ ହୋଇ ବଡ଼ବଡ଼ିଆ ହୋ… ଅନ୍ଧାରେ ଆସି ଆଲୁଏ ଯା… ର ସ୍ୱର ଭାସି ଉଠିବ। ଏଥିପାଇଁ ଅଗ୍ନିକୁ ଧରି ରଖିବା ପାଇଁ କାଉଁରିଆ କାଠି ବ୍ୟବହାର କରାଯାଇଥାଏ। ଘର ଇଶାଣରେ ପୂଜା ପରେ ସେହି ଦୀପର ନିଆଁକୁ କାଉଁରିଆ କାଠିରେ ସଂଯୋଗ କରି ସାହିଭାଇଙ୍କୁ ଧରି ଏହି ବଡ଼ବଡ଼ିଆ ଡାକ ହୋଇଥାଏ। ବିଡ଼ାଏ କାଉଁରିଆ କାଠି ଗ୍ରାମୀଣ ସାହିଭାଇଙ୍କ ମଧ୍ୟରେ ବର୍ଷକର ରହିଥିବା ସବୁ ବାଦବିବାଦ ଦୂରେଇ ଦେଇଥାଏ। ସମସ୍ତେ ଏକତ୍ର ହୋଇ ବଡ଼ବଡ଼ିଆ ଡାକିଥାନ୍ତି। ଏବେ ପ୍ରତିଟି ଗାଁ ଗହଳିରେ ତାହା ଉଜ୍ଜୀବିତ ରହିଛି। ହେଲେ ଶୁଖିଲା ନଳିତା ଗଛରୁ ସଂଗୃହିତ ସେହି କାଉଁରିଆ କାଠି ପାଇଁ ଲୋକଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି।

- Advertisement -

ତିଗିରିଆର ମହାନଦୀ କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ବହୁଳ ମାତ୍ରାରେ ନଳିତା ଚାଷ ହୋଇଥାଏ, ଯାହା ଗତ ୨୦ବର୍ଷ ଭିତରେ ବର୍ଷାନୁକ୍ରମେ ହ୍ରାସ ପାଇଛି। ବ୍ଲକର ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ପୁରୁଣାତିଗିରିଆ, ବିନ୍ଧାଣିମା ଆଦି ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତଗୁଡ଼ିକର ଖାଲୁଆ କିସମର ଜମିରେ ମଧ୍ୟ ଏହି ନଳିତା ଚାଷ ହେଉଥିବାର ପୁରୁଣା ଚାଷୀଙ୍କ ଠାରୁ ଜଣାପଡ଼ିଛି। କେବଳ ତିଗିରିଆ ନୁହେଁ ଆଠଗଡ଼଼ ଏବଂ ବାଙ୍କୀ ଉପଖଣ୍ଡରେ ମଧ୍ୟ ଏହି ନଳିତା ଚାଷ ଢ଼େର ହ୍ରାସ ପାଇଥିବା ଜଣାପଡ଼ିଛି। ଏବେ ହାତ ଗଣତି କେତେଜଣ ଚାଷୀଙ୍କ ପାଖରେ ଏହା ସୀମିତ ରହିଛି। ନଳିତା ଚାଷ ପାଇଁ ପ୍ରଚୁର ଜଳର ଆବଶ୍ୟକତା ରହିଥିବାରୁ ବର୍ଷାଦିନେ ଖାଲୁଆ ଜମିଗୁଡ଼ିକରେ ଅତି ସହଜ ଶ୍ରମ ଓ ସ୍ୱଳ୍ପ ପୁଞ୍ଜି ବିନିଯୋଗରେ ଚାଷ କରାଯାଇଥାଏ। ବର୍ଷା ଋତୁରେ ବନ୍ୟାରେ ଧାନ ଫସଲ ଉଜୁଡ଼ିଯିବା ଭଳି ଭୟ ଚାଷୀଠାରେ ନଥିଲା। ଏକକାଳୀନ ନଳିତା ଚାଷରୁ ଝୋଟ ଅମଳ କରି ବେଶ୍ ଅର୍ଥ ଲାଭ କରିହେଉଥିଲା। ତେବେ ଚାଷୀ ଏହାଠାରୁ ଦୂରେଇ ରହିବା ପଛରେ କେତୋଟି ପ୍ରମୁଖ କାରଣ ମଧ୍ୟ ରହିଛି। ଲଳିତା ଚାଷରୁ ଉତ୍ପାଦିତ ଝୋଟର ବିକ୍ରି ପାଇଁ ବଜାର ସମସ୍ୟା ଏବଂ ଅନ୍ୟଟି ପ୍ଲାଷ୍ଟିକ ପ୍ରତି ଅହେତୁକ ପ୍ରୀତି।

ପୁରୁଣାକାଳର ବୟୋଜ୍ୟୋଷ୍ଠ ଚାଷୀମାନେ ଆଉ ନାହାଁନ୍ତି। ଝୋଟ ଅମଳ କରି ସାଇତି ରଖି ତାହାକୁ ବିଶେଷ କରି ବର୍ଷା ଦିନେ କୃଷିକାମ ସରିବା ପରେ ଅବସର ସମୟରେ ବିଭିନ୍ନ ରକମର ଦଉଡ଼ି, ଗୋରୁ ଗାଇଙ୍କ ପାଇଁ ପଘା, ହେଁସ, ମସିଣା ଆଦି ନିଜ ହାତରେ ତିଆରି କରିବାକୁ ବ୍ୟବହାର କରୁଥିଲେ। ସେସବୁ ହାତରେ ବଳି ହାଟ ବଜାରରେ ବିକ୍ରି କରି ଦି ପଇସା ରୋଜଗାର କରୁଥିଲେ। ଏବେକାର ପୀଢ଼ି ପକ୍ଷେ ତାହା ସମ୍ଭବ ନୁହେଁ। ପରିବର୍ତ୍ତିତ ବିକଶିତ ସ୍ଥିତିରେ ସରକାରୀ ସ୍ତରରେ ମଧ୍ୟ ନଳିତା ଚାଷକୁ ପ୍ରୋତ୍ସାହିତ କରିବା ଭଳି କୌଣସି ସୁଯୋଗ ସୃଷ୍ଟି କରାଗଲା ନାହିଁ। ନଳିତା ଚାଷରୁ ଉତ୍ପାଦିତ ଝୋଟକୁ ଚାଷୀଙ୍କଠାରୁ ବିକ୍ରି କରାଇବାର ବ୍ୟବସ୍ଥା ଚାଷୀ ପାଇଲେ ନାହିଁ। ଆଖପାଖରେ ଝୋଟ କଳ ଥିଲେ ଏବଂ ଚାଷୀ ଜଡ଼ିତ ହୋଇପାରିଥିଲେ ନଳିତା ଏବେ ମଧ୍ୟ ବହୁଳ ଭାବେ ଉତ୍ପାଦନ ହେଉଥାନ୍ତା। ପ୍ଲାଷ୍ଟିକ ଆଗରେ ପ୍ରାକୃତିକତାରେ ଭରା ସେହିସବୁ ଉତ୍ପାଦଗୁଡ଼ିକର ଚାହିଦା ମଧ୍ୟ ହ୍ରାସ ପାଇଲା। ଝୋଟରୁ ପ୍ରସ୍ତୁତ ଉତ୍ପାଦ ପ୍ଲାଷ୍ଟିକ ତୁଳନାରେ କିଛି କମ ଗୁଣବତ୍ତାର ନୁହେଁ। ହେଲେ ଝୋଟ ଉତ୍ପାଦ ଉପକରଣ ପ୍ଲାଷ୍ଟିକ ସମକକ୍ଷ ଉପଲବ୍ଧ ହୋଇପାରୁନାହିଁ। ଲୋକେ ବିକଳ୍ପ ନପାଇ ପ୍ଲାଷ୍ଟିକ ବ୍ୟବହାର କରି ନାନା ଦୂରାରୋଗ୍ୟ ବ୍ୟାଧି ବଳୟକୁ ଚାଲିଯାଉଛନ୍ତି। ଏଣୁ ପ୍ଲାଷ୍ଟିକ ବର୍ଜନ ଆହ୍ୱାନ ଓ ଅଭିଯାନ ବିଜ୍ଞାପନ ଓ ଭାଷଣବାଜିରେ ସୀମିତ ହୋଇ ରହିଛି। ଏହି ଲଳିତା ଚାଷ ବୁଡ଼ିଯିବାରୁ ଦୀପାବଳିର ସନ୍ଧ୍ୟାରେ ବଡ଼ବଡ଼ିଆ ଡାକିବାକୁ କାଉଁରିଆ କାଠି ଖୋଜା ପଡ଼ିଛି। ଓଡ଼ିଆଙ୍କ ଏମିତ କିଛି ପର୍ବ ପର୍ବାଣୀ ଓ ପରମ୍ପରା ସହିତ କୃଷିର ସମ୍ପର୍କ ଅତି ନିବିଡ଼ ରହିଥିବାରୁ ତାହାର ନମୁନା କେବଳ ଉଜ୍ଜିବୀତ ରହିଛି। ଆଖୁ, ନଳିତା ଭଳି ଅନେକ ତୈଳବୀଜ ଚାଷ ମଧ୍ୟ ସମଗ୍ର ଉପଖଣ୍ଡରୁ ହ୍ରାସ ପାଇଛି। କୃଷି ଭିତ୍ତିକ ଶିଳ୍ପ ମଧ୍ୟ ବୁଡ଼ିଯାଇଛି। ଏଣୁ ଅନ୍ୟାନ୍ୟ ଶିଳ୍ପ ପରି ଅଞ୍ଚଳ ଉପଯୋଗୀ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକତା ଆହୁରି ବଢ଼଼ିଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories