ଡେସ୍କ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଗତ ମାସରେ ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି। ସରକାରଙ୍କ ବିବାଦୀୟ କୋଟା ବ୍ୟବସ୍ଥା ବିରୋଧରେ ବ୍ୟାପକ ପ୍ରତିବାଦ ପରେ ଗତ ସପ୍ତାହରେ ଇସ୍ତଫା ଦେଇ ଭାରତ ପଳାଇଥିବା ୭୬ ବର୍ଷୀୟ ହସିନାଙ୍କ ବିରୋଧରେ ଏହା ହେଉଛି ପ୍ରଥମ ମାମଲା।
ସୂଚନା ଅନୁଯାୟୀ, ମହମ୍ମଦପୁରରେ କୋଟା ଆନ୍ଦୋଳନକୁ ସମର୍ଥନ କରି ଜୁଲାଇ ୧୯ ତାରିଖରେ ଏକ ରାଲି ସମୟରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଗ୍ରୋସରୀ ଷ୍ଟୋର ମାଲିକ ଅବୁ ସୟଦଙ୍କ ଶୁଭେଚ୍ଛୁମାନେ ଏହି ମାମଲା ରୁଜୁ କରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଆୱାମି ଲିଗ୍ ସାଧାରଣ ସମ୍ପାଦକ ଓବାଇଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ପୁଲିସ ଇନ୍ସପେକ୍ଟର ଜେନେରାଲ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନ୍। ଏହି ମାମଲାରେ ଅନେକ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ନାମ ମଧ୍ୟ ରହିଛି।
ଅଗଷ୍ଟ ୫ରେ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଜୁଲାଇ ଆରମ୍ଭରୁ ଚାଲିଥିବା ବିକ୍ଷୋଭରେ ମୋଟ ମୃତ୍ୟୁ ସଂଖ୍ୟା ୫୬୦ରେ ପହଞ୍ଚିଛି। ଇତି ମଧ୍ୟରେ ସେଠାରେ ମଧ୍ୟବର୍ତ୍ତିକାଳୀନ ସରକାର ଗଠନ ହୋଇଛି, ଯେଉଁଥିରେ ୮୪ ବର୍ଷୀୟ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ୟୁନୁସ୍ ଗତ ସପ୍ତାହରେ ତାଙ୍କର ୧୬ ଜଣିଆ ପରାମର୍ଶଦାତା ପରିଷଦ ଘୋଷଣା କରିଥିଲେ।



