ନୂଆଦିଲ୍ଲୀ : ପବିତ୍ର ରମଜାନ ମାସରେ ଲକଡାଉନ୍ ସମୟରେ ଗୃହ ମଧ୍ୟରେ ରହିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳର ୱାକଫ୍ ବୋର୍ଡ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସଂଖ୍ୟାଲଘୁ
ବ୍ୟାପାର ମନ୍ତ୍ରୀ ତଥା କେନ୍ଦ୍ର ୱାକଫ୍ ପରିଷଦ ଅଧ୍ୟକ୍ଷ ମୁକ୍ତାର ଆବାସ ନକ୍ବୀ ଗୁରୁବାର ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୱାକଫ୍ ବୋର୍ଡ ଗୁଡ଼ିକର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ମୁସଲମାନ ସମ୍ପ୍ରଦାୟର ଲୋକମାନେ ରମଜାନ ସମୟରେ ଗୃହ ମଧ୍ୟରେ ରହି ପ୍ରାର୍ଥନା କରିବା ଓ ଧାର୍ମିକ ରୀତିନୀତର ପାଳନ କରିବାକୁ ସେମାନଙ୍କୁ ପରାମର୍ଶ ଦେବାଲାଗି କହିଛନ୍ତି।
ସ୍ୱାସ୍ଥ୍ୟ କର୍ମୀ, ନିରାପତ୍ତାରକ୍ଷୀ, ପ୍ରଶାସନିକ ଅଫିସର ଓ ସଫେଇ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଶ୍ରୀ ନକ୍ବୀ ସେମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ ନକ୍ବୀ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପ୍ରକାରର ଧାର୍ମିକ ଓ ସାମାଜିକ କାର୍ଯ୍ୟକଳାପ ଏବଂ ମନ୍ଦିର, ମସଜିଦ, ଗିର୍ଜା, ଗୁରୁଦ୍ୱାରା ଓ ଅନ୍ୟାନ୍ୟ
ଧର୍ମପୀଠ ଗୁଡ଼ିକରେ ଲୋକମାନଙ୍କର ସମବେତ ହେବାକୁ ନିଷେଧ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଗୁଡ଼ିକର ସହଯୋଗରେ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦିଗରେ ଫଳପ୍ରଦ ଭାବେ କାର୍ଯ୍ୟ କରୁଛନ୍ତି।



