www.samajalive.in
Wednesday, December 10, 2025
18.1 C
Bhubaneswar

ଆତ୍ମନିର୍ଭର ଭାରତ ଆପ୍‌ ପ୍ରସ୍ତୁତିରେ ଅଂଶୀଦାର ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ୟ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇନାହାନ୍ତି। ଲିଙ୍କଡ଼ଇନ‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍‌ମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।

ଯୁବ ପ୍ରଯୁକ୍ତିବିତ୍‌ମାନେ ଏ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଆସୁଛନ୍ତି। ଏବେ ଭାରତୀୟ ଷ୍ଟାର୍ଟଅପ୍‌ ଓ ଟେକ୍‌ନୋଲଜି ଜଗତରେ ନବସୃଜନ, ବିକାଶ ଏବଂ ଦେଶୀ କାରିଗରୀ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ପାଇଁ ଅପୂର୍ବ ସୁଯୋଗ ଓ ଆଗ୍ରହ ସୃଷ୍ଟି ହୋଇଛି। ରାଷ୍ଟ୍ର ଏବେ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଅଗ୍ରସର ହେଉଥିବା ବେଳେ ଏହା ଏବେ ବେଶ୍‌ ଉତ୍ସାହଜନକ ପରିବେଶ ସୃଷ୍ଟି କରିଛି। ଏହାର ସୁଯୋଗ ନେଇ ଘରୋଇ ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ନୂଆ ନୂଆ ଆପ୍‌ ତିଆରି ପାଇଁ ସେ ପ୍ରଯୁକ୍ତିବିତ୍‌ମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

- Advertisement -

ଏହି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଟଳ ଇନୋଭେସନ ମିଶନ ସହ ମିଶି ଏକ ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜ କାର୍ୟ୍ୟ ହାତକୁ ନେଇଛି। ଏହା ଦୁଇଟି କ୍ଷେତ୍ରରେ କାର୍ୟ୍ୟ କରିବ। ସେଥିରେ ଗୋଟିକରେ ବର୍ତ୍ତମାନର ଆପ୍‌ଗୁଡିକର ଉନ୍ନୟନ ଓ ଦ୍ୱିତୀୟଟିରେ ନୂଆ ଆପ୍‌ ବିକଶିତ କରାଯିବ। ଏହି ଆହ୍ୱାନକୁ ଉଭୟ ମନ୍ତ୍ରଣାଳୟ ଓ ପ୍ରଯୁକ୍ତି ସମୁଦାୟ ମିଳିତଭାବେ କାର୍ୟ୍ୟକାରୀ କଲେ ଏହା ସହଜ ଓ ସୁଗମ ହୋଇପାରିବ।

ବର୍ତ୍ତମାନର ଆପ୍‌ ଓ ପ୍ଲାଟଫର୍ମଗୁଡିକର ବିକାଶ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ଇ-ଲର୍ଣ୍ଣିଂ, ୱାର୍କ ଫ୍ରମ ହୋମ୍‌, ଗେମିଂ, ବିଜିନେସ ଏଣ୍ଟରଟେନମେଣ୍ଟ, ଅଫିସ ୟୁଟିଲିଟିଜ, ସୋସିଆଲ ନେଟୱର୍କ ଆଦି ଅନ୍ତର୍ଭୁକ୍ତ। ଏଥିରେ ସରକାର ଦିଗ୍‌ଦର୍ଶନ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବେ। ଲିଡର-ବୋର୍ଡ ପାଇଁ ଉତ୍ତମ ମାନର ଆପ୍‌ ଚିହ୍ନଟ କରିବାକୁ ଟ୍ରାକ୍‌-୧କୁ ମିଶନ ମୋଡ୍‌ରେ କାର୍ୟ୍ୟକାରୀ କରାଯାଇ ମାସକ ମଧ୍ୟରେ ସେ କାମ ଶେଷ ହେବ। ନୂଆ ଆପ୍‌ ଓ ପ୍ଲାଟଫର୍ମ ଇନ୍‌କ୍ୟୁବେସନ ପାଇଁ ଟ୍ରାକ୍‌-୨ ପ୍ରୟାସରେ ସରକାର ନୂଆ ଚମ୍ପିଆନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇଡିଆ, ଇନ୍‌କ୍ୟୁବେସନ, ପ୍ରୋଟୋଟାଇପିଂ, ରୋଲ ଆଉଟ ଓ ମାର୍କେଟ ଆକ୍‌ସେସ ଆଦି ସୁବିଧା ଯୋଗାଇଦେବେ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏହି ପ୍ରୟାସ ଦ୍ୱାରା ପ୍ରଚଳିତ ଆପ୍‌ଗୁଡିକର ଭିଜିବିଲିଟି ଓ କ୍ଲାରିଟି ଅଧିକ ଭଲ ହେବ। ଫଳରେ ସେଗୁଡିକ ବ୍ୟବହାରକାରୀଙ୍କ ପାଇଁ ଅଧିକ ସହାୟକ ହୋଇପାରିବ। ବୈଷୟିକ ସାମଗ୍ରୀ ପ୍ରସ୍ତୁତି ପାଇଁ ବାଟ ବାହାର କରିବା ନିମନ୍ତେ ଦିଗ୍‌ଦର୍ଶନ, ବୈଷୟିକ ସହାୟତା ଓ ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ଏ ସଂପର୍କରେ ତାଙ୍କ ବିଚାର ବ୍ୟକ୍ତ କରିବା ସହ ଆହୁରି ଜାଣିବାକୁ ଚାହିଁଛନ୍ତି ଯେ ପାରମ୍ପରିକ ଭାରତୀୟ କ୍ରୀଡାକୁ ଟେକ୍‌ନୋଲଜି ଅଧିକ ଲୋକପ୍ରିୟ କରିପାରିବ କି? ସେହିଭଳି ଲୋକଙ୍କୁ ଥଇଥାନ, ପରାମର୍ଶ ପ୍ରଦାନ ବା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଏହା ଯଦି ସାହାଯ୍ୟ କରିପାରିବ ସେସବୁର ମଧ୍ୟ ବିକାଶ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏକ ଆତ୍ମନିର୍ଭର ଆପ୍‌ ଇକୋ ସିଷ୍ଟମ ବିକଶିତ କରିବାକୁ ସେ ବୈଷୟିକ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି।

ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚାଲେଞ୍ଜ ଟ୍ରାକ-୧ ଆଠଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ ହୋଇଛି –
୧ – ସରକାରୀ ଉତ୍ପାଦକତା ଓ ଘରୁ ବସି କାର୍ୟ୍ୟ
୨ – ସୋସିଆଲ ନେଟୱାର୍କିଙ୍ଗ
୩ – ଇ-ଲର୍ନିଙ୍ଗ
୪ – ମନୋରଞ୍ଜନ
୫ – ସ୍ୱାସ୍ଥ୍ୟ ଓ ସୁସ୍ଥତା
୬ – ବ୍ୟବସାୟ ଆଗ୍ରିଟେକ ଓ ଫିନଟେକ
୭ – ସମାଚାର
୮ – ଖେଳ

ପ୍ରତ୍ୟେକ ଶ୍ରେଣୀରେ କେତେକ ଉପବିଭାଗ ମଧ୍ୟ ରହିବାର ସମ୍ଭାବନା ରହିଛି। ଆଜିଠାରୁ ଇନୋଭେସନ ଚାଲେଞ୍ଜ mygov.in/app-challengeରେ ଉପଲବ୍ଧ ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଚଳିତ ମାସ ୧୮ ତାରିଖ ରଖାଯାଇଛି। ଆବେଦନକାରୀମାନେ ସେମାନଙ୍କ ପ୍ରସ୍ତାବ ସମ୍ପର୍କୀୟ ତଥ୍ୟାବଳି ଅନଲାଇନରେ ପଞ୍ଜୀକୃତ କରି ମାଇ ଗଭ ପୋର୍ଟାଲ www.mygov.inରେ ଅପଲୋଡ କରିବେ।

ଦରଖାସ୍ତଗୁଡିକୁ ପ୍ରତ୍ୟେକ ଟ୍ରାକ ପାଇଁ ଘରୋଇ ଓ ଶିକ୍ଷା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଜୁରି ମୂଲ୍ୟାୟନ କରିବେ। ମନୋନୀତ ଆପଗୁଡିକୁ ପୁରସ୍କାର ପ୍ରଦାନ କରାଯିବା ସହ ଜନସାଧାରଣଙ୍କୁ ଅବଗତ କରାଯିବ। ସରକାର ମଧ୍ୟ ଯୋଗ୍ୟ ବିବେଚିତ ଆପଗୁଡିକୁ ଗ୍ରହଣ କରି ସରକାରୀ ଇ-ମାର୍କେଟରେ ସ୍ଥାନିତ କରିବେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories