ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦେଶର ୪୨ କୋଟି ଅଣସଙ୍ଗଠିତ ଶ୍ରମିକଙ୍କୁ ସମର୍ପିତ କରାଯାଇଛି ବୋଲି ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି । ଏହି ଯୋଜନାରେ ମାସିକ ଆୟ ୧୫ ହଜାର ଟଙ୍କାରୁ କିମ୍ବା ତା’ଠାରୁ କମ୍ ଥିବା ଅଣସଙ୍ଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି । ଶ୍ରମିକ, ରିକ୍ସା-ଚାଳକ, ହକର, ଘରୋଇ କର୍ମଜୀବୀ, ଦର୍ଜି, ପାନଦୋକାନୀ ଏବଂ ଛୋଟ ଦୋକାନୀଙ୍କ ଭଳି ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ୧୮ ବର୍ଷରୁ ୪୦ ବର୍ଷର ହିତାଧିକାରୀ ଏହି ଯୋଜନାର ଲାଭ ପାଇ ପାରିବେ । ୧୮ ବର୍ଷ ବୟସରେ ହିତାଧିକାରୀଙ୍କୁ ମାସିକ ୫୫ ଟଙ୍କା ପ୍ରିମିୟର ଦେବାକୁ ପଡିବ ଏବଂ ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ । ଏହି ଯୋଜନାରେ ହିତାଧିକାରୀଙ୍କ ଜମା ପରିମାଣର ସମାନ ଅର୍ଥ କେନ୍ଦ୍ର ସରକାର ପୈଠ କରିବେ । ୬୦ ବର୍ଷ ପରେ ଅଣସଙ୍ଗଠିତ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ ।
ସୂଚନାଯୋଗ୍ୟ, ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ଏକ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ପାଇଁ ଫେବୃଆରୀ ୧୫ରେ ପଞ୍ଜିକରଣ ଆରମ୍ଭ ହୋଇ ଯାଇଥିଲା ।



