ସାକ୍ଷୀଗୋପାଳ: ନିଳଗିରିରେ ସାମ୍ବାଦିକଙ୍କ ପ୍ରତି ପୁଲିସର ବର୍ଵରତା ପ୍ରତିବାଦରେ ଶୁକ୍ରବାର ସତ୍ୟବାଦୀରେ ସାମ୍ବାଦିକମାନଙ୍କ ପକ୍ଷରୁ କଳାଦିବସ ପାଳନ କରାଯାଇଛି। ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ପୂର୍ବାହ୍ନ ୧୧ଟା ସମୟରେ ସତ୍ୟବାଦୀ ଥାନାରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଉପାୟ ଅବଲମ୍ବନ କରି ଜଣେ ସାମ୍ବାଦିକଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କୁ ଗିରଫ କରି ତାଙ୍କ ଗୋଡ଼ରେ ବେଡି ପକାଇବା ସହ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିବା ଘଟଣାକୁ ସତ୍ୟବାଦୀରେ ସାମ୍ବାଦିକମାନେ ଦୃଢ ନିନ୍ଦା କରିଛନ୍ତି। ଯାହାକୁ ନେଇ ଆଜି ସତ୍ୟବାଦୀ ପ୍ରେସକ୍ଲବ ତରଫରୁ ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅଶୋକ ବେହେରା ବସନ୍ତ ପଟନାୟକ, ଆଲୋକ ଖୁଣ୍ଟିଆ, ପ୍ରଭାତ ମିଶ୍ର, ରାଜକିଶୋର ସେନାପତି ପ୍ରମୁଖ କଳାବ୍ୟାଚ ପରିଧାନ କରି ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ଏକ ଦାବୀପତ୍ର ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଧଳଙ୍କୁ ପ୍ରଦାନ କରାଯାଇଛି।
Popular Categories



