ସମାଜ ଡିଜିଟାଲ ଡେସ୍କ: ଜଳିଗଲେ ଆଉ ଜଣେ ଛାତ୍ରୀ । ପୁରୀ ଜିଲା ନିମାପଡା ବଳଙ୍ଗା ଥାନା ବାୟାବର ଗାଁରେ ଅଭାବନୀୟ ଘଟଣା ଘଟିଛି । ଯୁକ୍ତ ଦୁଇରେ ପାଠ ପଢୂଥିବା ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ । ୩ଜଣ ଦୁର୍ବୃତ୍ତ ନାବାଳିକାଙ୍କୁ ଉଠାଇ ନେଇ ନଦୀ ପଠାରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ନାବାଳିକା ଛାତ୍ରୀକୁ ପିପିଲି ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବଳଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ତେବେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ । ପୀଡିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।
ଅନ୍ୟପଟେ ଏମ୍ସରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ବିଜେଡି ଓ କଂଗ୍ରେସର ଦଳର ନେତା । ପୀଡିତାଙ୍କ ପରିବାର ସହିତ ଆଲୋଚନା କରି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଘଟଣାକୁ ନେଇ ବିଜେଡି କହିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡି ଗଲାଣି । ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ କରନ୍ତୁ, ଓଡ଼ିଶା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।



