www.samajalive.in
Saturday, December 6, 2025
16.1 C
Bhubaneswar

ଲାଲ କୋଠା ପାଲଟିଛି ପାଠଶାଳା; ଆଦିବାସୀ ଯୁବକଙ୍କୁ ମିଳୁଛି କମ୍ପ୍ୟୁଟର ଶିକ୍ଷା

ମାଲକାନଗରି : ପାଞ୍ଚ ଦଶନ୍ଧି ଧରି ମାଓବାଦୀଙ୍କ କବ୍‌ଜାରେ ବିଚ୍ଛିନ୍ନାଞ୍ଚଳ ରହିଥିଲା। ଯେଉଁଠି ପାଦେ ପାଦେ ବିପଦ ଥିଲା। ଲାଲବାହିନୀ ଆତଙ୍କରେ ଅଞ୍ଚଳ ଥରି ଉଠୁଥିଲା। ଲାଲବାହିନୀଙ୍କ ଗଡ଼ରେ ଲୋକେ ଭୟ ଓ ଆଶଙ୍କାରେ ଜୀବନ ବିତାଉଥିଲେ। ସଶସ୍ତ୍ର ହିଂସା ଓ ବନ୍ଧୁକ ମୁନରେ ଶାସନ ଚାଲିଥିଲା। ସେହି ଅଞ୍ଚଳରେ ସରକାରୀ ଅଧିକାରୀ ଓ ରାଜନେତାଙ୍କ ପାଦ ପଡୁ ନ ଥିଲା। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଚ୍ଛିନ୍ନାଞ୍ଚଳ ଏବେ ସ୍ବାଭିମାନ ଅଞ୍ଚଳ ହୋଇପାରିଛି। ମାଓବାଦୀଙ୍କ ଲାଲ କୋଠା ଏବେ ଆଦିବାସୀ ଯୁବକଙ୍କ ପାଠଶାଳା ପାଲଟିଛି। ସେଠି ଆଦିବାସୀ ଯୁବକଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଏପରି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜୋଡ଼ାମ୍ବ ସଦର ପଞ୍ଚାୟତରେ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ ୫ ଶହରୁ ଊର୍ଦ୍ଧ୍ବ ଘର ରହିଛି। ପୂର୍ବରୁ ଜୋଡାମ୍ବରେ ମାଓବାଦୀଙ୍କ ଦ୍ୱାରା ଏକ ଲାଲ କୋଠା ନିର୍ମାଣ ହୋଇଥିଲା। ସେହି ସମୟରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ମାଓ ନେତାଙ୍କ ଫଟୋ ସହ ଏକ ବିରାଟ ଲାଲ ସ୍ତୁପ ମଧ୍ୟ ନିର୍ମାଣ କରାଯାଇଥିଲା। କୋଠାରେ ବିଭିନ୍ନ ସମୟରେ ମାଓବାଦୀଙ୍କ ବୈଠକ ବସୁଥିଲା। ପୁଲିସକୁ ପ୍ରତିହତ କରିବା ପାଇଁ
ମାଓବାଦୀମାନେ ଏହିଠାରୁ ଷଡ଼ଯନ୍ତ୍ର ଓ ବୁହ୍ୟ ରଚନା କରୁଥିଲେ। ବହୁ ମାଓବାଦୀ ସେହି କୋଠାରେ ଆଶ୍ରୟ ମଧ୍ୟ ନେଉଥିଲୋ ପୁଲିସ ସେଠି ପହଞ୍ଚିବା ଅସମ୍ଭବ ଥିଲା।
ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ଥିତି ବଦଳିଛି। ହନ୍ତାଳଗୁଡ଼ା ଘାଟି ନିର୍ମାଣ ପରେ ଜୋଡାମ୍ବ ପଞ୍ଚାୟତକୁ ସିଧାସଳଖ ରାସ୍ତା ନିର୍ମାଣ ହୋଇଛି। ପୂର୍ବରୁ ନଦୀ ପାର ହୋଇ ପଞ୍ଚାୟତକୁ ଆସିବାକୁ ହେଲେ ଭଙ୍ଗା, ଦଦରା ଲଞ୍ଚ, ଦେଶୀ ଡଙ୍ଗା ଲୋକଙ୍କ ଭରସା ଥିଲା। ହନ୍ତାଳଗୁଡ଼ା, ଜୋଡାମ୍ବ, ପଣସପୁଟ, ଯନ୍ତ୍ରୀ ଅଞ୍ଚଳରେ ବିଏସ୍‌‌ଏଫ୍‌‌ ଶିବିର ପ୍ରତିଷ୍ଠା ପରେ ଲାଲବାହିନୀ ପଛଘୁଞ୍ଚା ଦେଇଛନ୍ତି। ମାଓ ମୁକ୍ତ ପରେ ଜୋଡାମ୍ବରେ ଥିବା ଲାଲ କୋଠାକୁ ଓଡ଼ିଶା ପୁଲିସ ନିଜ ଅଧୀନକୁ ନେଇଥିଲା। ଆଖପାଖ ପଞ୍ଚାୟତର ଯୁବକମାନଙ୍କୁ କମ୍ପୁଟର ଶିକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ମାଲକାନଗିରି ପୁଲିସ ଦ୍ୱାରା ପ୍ରଶିକ୍ଷଣ କେନ୍ଦ୍ର ଭାବେ ପରିଣତ କରାଯାଇଛି। ଆଖପାଖ ଅଞ୍ଚଳର କିଛି ଶିକ୍ଷିତ ଆଦିବାସୀ ଯୁବକମାନେ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଛନ୍ତି। ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେହି ଲାଲ କୋଠା ଚାରିଆଡେ ବିଏସ୍‌ଏଫ୍‌ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଦିବାସୀ ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ସଚେତନତା କରାଯାଉଛି। ଯେଉଁ ଅଞ୍ଚଳର ନୀରିହ ଆଦିବାସୀ ଯୁବକମାନଙ୍କୁ ମାଓବାଦୀମାନେ ହିଂସାତ୍ମକ ପଥରେ ନେବା ଲାଗି ପ୍ରୋତ୍ସାହିତ କରୁଥିଲେ ଏବେ ସେଠାକାର ଯୁବଗୋଷ୍ଠୀ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଶ୍ରେଷ୍ଠ ଯନ୍ତ୍ର କଂପ୍ୟୁଟର ଚଳାଉଛନ୍ତି। ଜୀବନରେ ସେହି ଅଞ୍ଚଳର ଯୁବକମାନେ କେବେ କମ୍ପ୍ୟୁଟର ଦେଖି ନ ଥିଲେ। ଆଜି ଘର ପାଖରେ କମ୍ପ୍ୟୁଟର ଶିକ୍ଷା ସହ ଗଁାରେ ମୋବାଇଲ ଟାୱାର ବସିବା ପରେ ଇଣ୍ଟରନେଟ ସେବା ମଧ୍ୟ ପାଉଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଗଞ୍ଜେଇ ଚାଷ କରୁଥିବା ଆଦିବାସୀମାନଙ୍କୁ ଜୀବନଜୀବିକା ମିଶନ ପକ୍ଷରୁ ପନିପରିବା ଚାଷ ସହ ଅନ୍ୟାନ୍ୟ ଚାଷ ପାଇଁ ସହଯୋଗ ଯୋଗାଇ ଦିଆଯାଇଛି।
ମାଲକାନଗିରି ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇ ଉକ୍ତ ଅଞ୍ଚଳକୁ ଦୁଇଦିନ ଧରି ଗସ୍ତ କରି ଲୋକଙ୍କୁ କୃଷି ଉପରେ ସଚେତନତା କରାଇଥିଲ। ଦୀର୍ଘ ବର୍ଷ ପରେ ବିନା ସୁରକ୍ଷାରେ ଜଣେ ସରକାରୀ ଅଧିକାରୀ ସେହି ଅଞ୍ଚଳକୁ ଯାଇଥିବାରୁ ଲୋକେ ନିଜର ଗୁହାରି ଜଣାଇଥିଲେ। ଉପଜିଲାପାଳ ସେମାନଙ୍କ ସମସ୍ୟା ବୁଝିଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ଯୋଜନା କିଭଳି ପହଞ୍ଚିବ ସେ ନେଇ ଉପଜିଲାପାଳ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଅଞ୍ଚଳର ଛାତ୍ରଛାତ୍ରୀ କିପରି ବିଦ୍ୟାଳ୍ୟକୁ ଯାଇ ପାଠ ପଢ଼ିବେ ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି। ଲାଲବାହିନୀଙ୍କ କୋଠା ବର୍ତ୍ତମାନ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ ହେବା ନିଶ୍ଚିତ ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାଇବା ନେଇ ସରକାରଙ୍କ ସଫଳତା ଦର୍ଶାଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories