ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ପରଲୋକ ଘଟିଛି । ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି । ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ୨୧ ତାରିଖରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଆଜି ଭୋର୍ ୩ଟା ସମୟରେ ହୃଦଘାତରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ତାଙ୍କ ମରଶରୀରକୁ ଦ୍ବିପ୍ରହର ୧୧ଟାରୁ ୨ଟା ପର୍ଯ୍ୟନ୍ତ ରୂପାରେଲ କଲେଜ, ମାଟୁଙ୍ଗା ପଶ୍ଚିମରେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଦ୍ବିପ୍ରହର ୨ଟାରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ । ରାଜକୀୟ ସମ୍ମାନ ସହ ଦାଦର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ପ୍ରାୟ ୫ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ମନୋହର ଯୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ମୁମ୍ବାଇ ନଗର ନିଗମର କାଉନସିଲର ରୂପେ କାର୍ଯ୍ୟ ଆରମ୍ଭ କରିଥିବା ମନୋହର ପରେ ବିଧାୟକ, ଲୋକସଭା ଓ ରାଜ୍ୟସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଏବଂ ପରେ ଏନଡିଏ ସରକାର ସମୟରେ ଲୋକସଭା ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ୧୯୯୫ ମସିହା ମାର୍ଚ୍ଚ ୧୪ ତାରିଖରୁ ୧୯୯୯ ମସିହା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ ।

Comments are closed.